ଲକ୍‌ଡାଉନ୍‌ ପରେ ବୃଦ୍ଧି ପାଇଛି ବିଦ୍ୟୁତ ରାଜସ୍ୱ ଆଦାୟ ; ଖୁବ୍‌ ଶୀଘ୍ର ସ୍ଥାପିତ ହେବ ଆର୍‌ଟି-ଡିଏଏସ୍‌ ସିଷ୍ଟମ୍‌

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର )  ଭୁବନେଶ୍ୱର :-  ରାଜ୍ୟରେ କରୋନା ଜନିତ ଲକ୍‌ଡାଉନ୍‌ ପରେ ବିଦ୍ୟୁତ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଛି । ଗତକାଲି ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସମୟରେ ଏହା ଜଣା ପଡ଼ିଛି । ଲକ୍‌ଡାଉନ୍‌ ସମୟରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ସେକଫର ରାଜସ୍ୱ ସଂଗ୍ରହ ବୃଦ୍ଧି ଘଟିଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଲକ୍‌ଡାଉନ୍‌ ପରବର୍ତ୍ତି ସମୟରେ ସମସ୍ତ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି । ଏଥି ସହିତ ରାଜସ୍ୱ ଆଦାୟରେ ମଧ୍ୟ ଉନ୍ନତି ଘଟିଛି । ମନ୍ତ୍ରୀ ଶିଳ୍ପ ବିଭାଗ ସହିତ ଆଗକୁ ବୈଠକର ଆୟୋଜନ କରି ଶକ୍ତି ସମ୍ଵନ୍ଧିୟ ଓ ରାଜସ୍ୱ ଆଦାୟଜନିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ କ୍ୟାପ୍‌ଟିଭ୍‌ ପାଓ୍ୱାର ପ୍ଲାଣ୍ଟରେ ଦୂରସଂବେଦୀ ଯୋଗେ ପ୍ରକୃତ ସମୟ ତଥ୍ୟସଂଗ୍ରହ ବ୍ୟବସ୍ଥା (ଆର୍‌ଟି-ଡିଏଏସ୍‌) ସ୍ଥାପନ ଖୁବ୍‌ଶୀଘ୍ର କରାଯିବାକୁ ସେ ବିଦ୍ୟୁତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣା ଗୁଡ଼ିକର କ୍ଷତି ପୂରଣ ବାବଦରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ ।

ତେବେ ଘଟୁଥିବା ଦୁର୍ଘଟଣାରୁ ୯୦ ପ୍ରତିଶତ ମନୁଷ୍ୟକୃତ ତ୍ରୁଟି ପାଇଁ ହେଉଥିବା ଯୋଗୁଁ ଭବିଷ୍ୟତରେ ଏହାକୁ ହ୍ରାସ କରିବା ଦିଗରେ ଅଧିକ ଧନିବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବେ ୧୧ କେଭି ଏବଂ ଏଲ୍‌ଟି ସିଷ୍ଟମ୍‌ରେ ଦୁର୍ଘଟଣା ଘଟୁଥିବା ଯୋଗୁଁ ବିଦ୍ୟୁତ ସୁରକ୍ଷା ତାଲିମ, ସୁରକ୍ଷା ଯାଞ୍ଚ, କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଏବଂ ସଚେତନା ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସେ ନିୟମିତ ସୁରକ୍ଷା ବ୍ୟବସ୍ଥାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ରିପୋର୍ଟ ଦେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସୁରକ୍ଷା କର୍ଣ୍ଣର ଭାବେ ପ୍ରତି ସେକ୍‌ସନ୍‌, ସବ୍‌ଡିଭିଜନ୍‌, ଡିଭିଜନ୍‌ରେ ସେଲ୍‌ ଖୋଲାଯାଇ ବିଦ୍ୟୁତ ବ୍ୟବହାର ବେଳେ ସୁରକ୍ଷା ପ୍ରତି ଧ୍ୟାନ ଉପରେ ଜନସଚେତନତା ସୃଷ୍ଟି କରାଯିବାକୁ ଗୁରୁତ୍ୱ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ବିଦ୍ୟୁତ ସୁରକ୍ଷା ଉପରେ ଅନେକ ପ୍ରସ୍ତାବ ଦେଇ ସୁରକ୍ଷା ଉପରେ ମାସିକ କିଞ୍ଚା ତ୍ରୈମାସିକ ରିପୋର୍ଟ ପ୍ରଦାନ ଉପରେ ଜୋର ଦେଇଥିଲେ । ଏହି ଭର୍ଚୁଆଲ୍‌ ବୈଠକରେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ବିଦୁ୍ୟତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ସନ୍ତୋଷ ଦାସ ଅଂଶଗ୍ରହଣ କରିଥିଲେ ।

Exit mobile version