ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାୱାଡ଼ା ପଞ୍ଚାୟତଠାରେ ଆଜି ଏକ ବିଶାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଏବଂ ବନଖଣ୍ଡ ଅଧିକାରୀ ସାଇ କିରଣଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ପଚାରି ବୁଝିଥିଲେ ।

ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଜମିଜମା ବିବାଦ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ବିଭିନ୍ନ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଅଭିଯୋଗ କରିଥିଲେ । ମୋଟ ୮୯ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୩ ଟି ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୮୬ ଟି ଗ୍ରାମ୍ୟ ସମସ୍ୟା ରହିଥିଲା ।

ଶିବିରରେ ଅନେକ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟାନ୍ୟ ଗୁରୁତର ସମସ୍ୟାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏହି ଶିବିରର ମୂଳ ଲକ୍ଷ୍ୟ ଥିଲା । ପ୍ରଶାସନକୁ ପାଖରେ ପାଇ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।

Exit mobile version