ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସଂସ୍ଥାନ ଦ୍ୱାରା ପରିଚାଳିତ “ଉଲ୍ଲାସ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ” ଅଧୀନରେ ମୌଳିକ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକର ବିଭିନ୍ନ କେନ୍ଦ୍ରରେ ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ଅନୁଷ୍ଠିତ ହୋଇଯାଇଛି ।ଏହି ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ, ୧୫ ବର୍ଷରୁ ଉର୍ଦ୍ଧ ବୟସର ପୁରୁଷ ଓ ମହିଳାମାନେ ଉତ୍ସାହର ସହ ପରୀକ୍ଷା ଦେଇଥିଲେ ।

ସାକ୍ଷରତା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ଶିକ୍ଷାମଣ୍ଡଳୀ ମତ ପ୍ରକାଶ କରିଛନ୍ତି । ପରୀକ୍ଷା କେନ୍ଦ୍ର ଭାବେ ନିର୍ଦ୍ଧାରିତ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିରୀକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପରୀକ୍ଷା ପରିଚାଳନାରେ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦେଖାଯାଇଥିଲା ।

ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସମସ୍ତ ସାଧନ କେନ୍ଦ୍ର ସଂଯୋଜକମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରି ପରୀକ୍ଷାର ନିର୍ବିଘ୍ନ ଚାଳନା ଉପରେ ପର୍ଯ୍ୟବେକ୍ଷଣ କରିଥିଲେ । ଏହି “ଉଲ୍ଲାସ” କାର୍ଯ୍ୟକ୍ରମ ମାଧ୍ୟମରେ ଅସାକ୍ଷର ଲୋକଙ୍କୁ ସାକ୍ଷର କରିବା ଦିଗରେ ଏହି ପରୀକ୍ଷା ଏକ ମାଇଲଷ୍ଟୋନ ଭାବେ ଗ୍ରହଣ କରାଯାଇଛି । ଏହା ନବ ଭାରତ ଗଠନରେ ଶିକ୍ଷାର ଭୂମିକାକୁ ଆଉ ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି l

Exit mobile version