ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସାମ୍ପ୍ରତିକ ପରିସ୍ଥିତିରେ ସାରା ବିଶ୍ୱରେ ଯୁଦ୍ଧକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶାରେ ଇନ୍ଧନ ଗ୍ୟାସ ଓ ତୈଳ ଦର ବୃଦ୍ଧି ପାଇଛି। କିନ୍ତୁ ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ କଟକଣା ଯୋଗୁଁ ସମଗ୍ର ଓଡ଼ିଶାରେ ରୋଷେଇ ଘରେ ବିପ୍ଳବ ଦେଖାଦେଇଛି। ଏହି ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି କଟକ ମହାନଗର ନିଗମର ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ଅନିତା ବେହେରା ଙ୍କ ଆହ୍ବାନ କ୍ରମେ ଏକ ପ୍ରତିବାଦ ସଭା ବକ୍ସି ବଜାର ଗୋଲେଇ ଛକ ଠାରେ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଶ୍ରୀମତୀ ବେହେରା ଙ୍କ ସହ ବରିଷ୍ଠ ନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ସିଂ, କର୍ପୋରେଟର ଶ୍ରୀମତୀ ଏ.ଶ୍ରୀଦେବୀ, କର୍ପୋରେଟର ଶ୍ରୀମତୀ ବନଲତା ପ୍ରଧାନ, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ, ବିଜୁ ଜନତା ଦଳର କଟକ ନଗର ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ ଓ ବହୁ ମହିଳା କର୍ମୀ ଯୋଗ ଦେଇ ବକ୍ସିବଜାର ଛକ ଠାରେ

ରାସ୍ତା ଉପରେ ଅଭିନବ ଉପାୟରେ କାଠ ଚୁଲିରେ ରୋଷେଇ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଅହେତୁକ ଦରବୃଦ୍ଧି ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଏହି ଅହେତୁକ ଦରବୃଦ୍ଧି ବିଷୟରେ ସରକାର ଚିନ୍ତା କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିବା ସହ ଯଦି ଆଗାମୀ ଦିନରେ ଏହି ସମସ୍ୟା ର ସମାଧାନ ନ ହୁଏ ତେବେ ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାନେତ୍ରୀ ଶ୍ରୀମତୀ ଅନିତା ବେହେରା ପ୍ରକାଶ କରିଛନ୍ତି ।

Exit mobile version