Home ଓଡ଼ିଶା ରାଜ୍ୟସଭା ନିର୍ବାଚନ : ନବୀନଙ୍କ ପାଇଁ ପ୍ରତିଶୋଧ – ଦିଲ୍ଲୀପଙ୍କ ପାଇଁ କ୍ଷମତା ! by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟସଭା ନିର୍ବାଚନ ଏହି ମାସ ୧୬ ତାରିଖରେ ଅନୁଷ୍ଠିତ ହେବ l ଓଡିଶାରୁ ଖାଲି ପଡୁଥିବା ଚାରୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ l ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି l ବିଜେପି ନିଜ ସଂଖ୍ୟା ଦୃଷ୍ଟିରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି l ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରୁଛି ବିଜେପି ଓ ଡାକ୍ତର ଦତ୍ତ୍ୱେଶ୍ୱର ହୋତାଙ୍କୁ ସମର୍ଥନ କରୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ l ତେଣୁ ରୋଚକ ସ୍ଥିତିରେ ଅଛି ରାଜ୍ୟସଭା ନିର୍ବାଚନ l ଓଡ଼ିଶାରେ ଏବେ ଡବଲ ଇଂଜିନ ସରକାର l ବିଜେପି ଦିଲ୍ଲୀପ ରାୟଙ୍କୁ ସମର୍ଥନ କରୁଛି l ଦିଲ୍ଲୀପ ରାୟ ହେଉଛନ୍ତି ବିଜୁ ଜନତା ଦଳର ଜଣେ ପ୍ରତିଷ୍ଠିତ ସଦସ୍ୟ l ମୂଳତଃ ସେ ଅଣ କଂଗ୍ରେସ ରାଜନୀତିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ l ରାଉଲକେଲା ମ୍ୟୁନିସିପାଲିଟିର ଚେୟାରମ୍ୟାନ ଭାବରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ l ୧୯୯୦ ମସିହାରେ ବିଜୁ ପଟନାୟକଙ୍କ ଜନତା ଦଳ ସରକାରରେ ସେ ଶିଳ୍ପ ମନ୍ତ୍ରୀ ହେଇଥିଲେ l ଏହା ପର ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି l ବିଜୁ ପଟନାୟକଙ୍କ ଅତି ଘନିଷ୍ଠ ହେବା ସହିତ ତାଙ୍କରି ସୁପାରିଶ କ୍ରମେ କେନ୍ଦରେ ଯେତେ ଅଣ କଂଗ୍ରେସ ସରକାର ଗଠନ ହେଇଛି ସବୁଥିରେ ସେ ମନ୍ତ୍ରୀ ହେଇ ପାରିଥିଲେ l ଏଚ. ଡି. ଦେବଗୌଡ଼ , ଆଇ. କେ. ଗୁଜରାଲ ଓ ଅଟଳ ବିହାରୀ ବାଜପେୟି ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ l ବିଜୁ ବାବୁ ଓଡ଼ିଶାରେ ଗୋଟିଏ ଆଞ୍ଚଳିକ ଦଳ ତିଆରି କରିବାର ସ୍ବପ୍ନ ଦେଖୁଥିଲେ l ଉତ୍କଳ କଂଗ୍ରେସ ପ୍ରତିଷ୍ଠା କରି ସେ ବିଫଳ ମଧ୍ୟ ହେଇଥିଲେ l ସେ ସର୍ବଦା ଦିଲ୍ଲୀପ ରାୟଙ୍କୁ ତାଙ୍କ ମନର କଥା କହୁଥିଲେ l ଯେହେତୁ ଦିଲ୍ଲୀପ ତାଙ୍କର ଅତି ଘନିଷ୍ଠ ଥିଲେ l ବିଜୁ ବାବୁଙ୍କ ମୃତ୍ୟୁ ପରେ ଗୋଟିଏ ଆଞ୍ଚଳିକ ଦଳ ଗଠନର ପ୍ରସ୍ତାବ ଆସିଲା ଓ ଭାରତୀୟ ଜନତା ପାର୍ଟିର ସହଯୋଗରେ ଓଡ଼ିଶାରେ ଗୋଟିଏ ନୂଆ ଆଞ୍ଚଳିକ ଦଳ ଗଠନ ହେଲା ଯାହାର ନାମ ରହିଲା ବିଜୁ ଜନତା ଦଳ l ଏହି ଦଳର ମୂଳ ଆଭିମୁଖ୍ୟ ଥିଲା କଂଗ୍ରେସ ବିରୁଦ୍ଧରେ ଲଢେଇ l ଏହି ଦଳର ନେତୃତ୍ୱ ନେଲେ ବିଜୁ ବାବୁଙ୍କ ପୁତ୍ର ନବୀନ ପଟନାୟକ l ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ରାମକୃଷ୍ଣ ପଟନାୟକ, ପ୍ରସନ୍ନ ପାଟଶାଣି, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରାଜା ସ୍ୱାଇଁ ପରି ଅନେକ ଅଣ କଂଗ୍ରେସ ନେତା ଏହି ଅଭିମୁଖ୍ୟରେ ସାମିଲ ହେଲେ l ଏହି ଆଭିମୁଖ୍ୟ ସଫଳ ହେଲା l ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଅଣ କଂଗ୍ରେସ ସରକାର ଗଠନ ହେଲା l ବିଜେଡି – ବିଜେପି ମିଳିତ ଭାବରେ ସରକାର ଗଢିଲେ ଓ ନବୀନ ପଟନାୟକ ଏହି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ହେଲେ l ଦିଲ୍ଲୀପ ରାୟ କେନ୍ଦ୍ରରେ ବାଜପେୟୀ ସରକାରରେ ମନ୍ତ୍ରୀ ହେଲେ l ସବୁ ଠିକ ଠାକ ଥିଲା କିନ୍ତୁ ଅଚାନକ ୨୦୦୨ ମସିହାରେ ଦିଲ୍ଲୀପ ରାୟଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଗଲା l ଦଳର ସଭାପତି ନବୀନ ପଟନାୟକଙ୍କ ସୁପାରିଶରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସହିତ ବିଜୁ ଜନତା ଦଳରୁ ବି ବିତାଡିତ ହେଇଥିଲେ ଦିଲ୍ଲୀପ l ଏହା ପରଠାରୁ ଆଉ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି ଦିଲ୍ଲୀପ l ସେହି ବର୍ଷ ଅର୍ଥାତ ୨୦୦୨ ମସିହାରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେଇଥିଲା l ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଲେ l ନବୀନ ପଟନାୟକ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ l ସମସ୍ତ ପ୍ରକାର କଳବଳ କୌଶଳ ପ୍ରୟୋଗ କରାଗଲା l ଶେଷରେ ବାଜିମାତ କଲେ ଦିଲ୍ଲୀପ ଓ ତାଙ୍କ ପ୍ରତି ନବୀନ କରିଥିବା ଅନ୍ୟାୟର ପ୍ରତିଶୋଧ ନେଲେ ବୋଲି ସେହି ସମୟରେ ଆଲୋଚନା ହେଲା l ଦିଲ୍ଲୀପ କିନ୍ତୁ କେନ୍ଦ୍ରରେ ମନ୍ତ୍ରୀ ହେଇ ପାରିଲେ ନାହିଁ l ୨୦୦୪ ମସିହାରେ କେନ୍ଦ୍ରରେ ସତ୍ତା ପରିବର୍ତ୍ତନ ହେଲା ଓ ୟୁପିଏ କ୍ଷମତାକୁ ଆସିଲା ! ସମୟକ୍ରମେ ଦିଲ୍ଲୀପ ରାଜନୈତିକ ବିକଳ୍ପ ଭାବରେ କଂଗ୍ରେସରେ ଯୋଗ ଦେଇଥିଲେ କିନ୍ତୁ ସଫଳତା ପାଇ ନ ଥିଲେ l ପରେ ବିଜେପିରେ ଯୋଗ ଦେଇ ୨୦୧୪ ମସିହାରେ ରାଉଲକେଲା ରୁ ବିଧାୟକ ନିର୍ବାଚିତ ହେଇଥିଲେ l ୨୦୧୯ ମସିହାରେ ସେ ଟିକଟ ପାଇ ନ ଥିଲେ ଓ ୨୦୨୪ ମସିହାରେ ସେ ପୁନର୍ବାର ବିଜେପି ଟିକଟ ପାଇ ରାଉଲକେଲାରୁ ନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚନ ହାରି ଯାଇଥିଲେ l ଅଟଳ ବିହାରୀ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିବା ସମୟରେ କୋଇଲା ବ୍ଲକ ଆବଣ୍ଟନରେ ଘୋର ଅନିୟମିତତା ହେଇଥିଲା ଓ ସିବିଆଇ କେଶ ହେଇଥିଲା l ୬ ଅକ୍ଟୋବର, ୨୦୨୦ ମସିହାରେ ସିବିଆଇ ଏହି ଘଟଣାରେ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା l ଦିଲ୍ଲୀପ ଏହି କେଶରେ ତୁରନ୍ତ ଜାମିନ ପାଇଥିଲେ ଓ ଏହି କେଶ ଏବେ ମଧ୍ୟ ବିଚରାଧୀନ ଅଛି l ପୁଣି ଥରେ ଇତିହାସର ପୁନରାବୃତ୍ତି ଘଟିଛି l ନବୀନ ଓ ଦିଲ୍ଲୀପ ପୁଣି ଥରେ ରାଜନୈତିକ ଲଢେଇରେ ମୁହାଁ ମୁହିଁ ହେଇଛନ୍ତି l ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ସିକ୍ରେଟ ଵାଲାଟରେ ନିର୍ବାଚନ ଅନୁଷ୍ଠିତ ହେଇଥିଲା l ଏବେ ବହୁତ ପରିବର୍ତ୍ତନ ଘଟିଛି l କୋଉ ବିଧାୟକ କାହାକୁ ମତଦାନ କଲେ ସବୁ ସ୍ପଷ୍ଟ ଜଣା ପଡିବ l ଏବେ ନିର୍ବାଚନ ଜିତିବା ବହୁତ କଷ୍ଟ ହେବ ଦିଲ୍ଲୀପଙ୍କ ପାଇଁ l ଦ୍ଵିତୀୟରେ ବିଜେଡି ଏବେ କ୍ଷମତାରେ ନାହିଁ l ବିରୋଧୀ ଦଳ ଆସନରେ ବସିଛି l ନବୀନ ଏବେ ବିରୋଧୀ ଦଳ ନେତା l ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖୁଥିବା କଥା କହୁଥିଲେ ନବୀନ l କିନ୍ତୁ ଦିଲ୍ଲୀପ ଓ ବିଜେପିକୁ ଚେକ ଦେବା ପାଇଁ କଂଗ୍ରେସ ସହିତ ହାତ ମିଳାଇଛନ୍ତି ନବୀନ l ମିଳିତ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତ୍ୱେଶ୍ୱର ହୋତାଙ୍କୁ ଛିଡା କରାଇଛନ୍ତି ନବୀନ l ଯଦି ଏହି ରାଜନୈତିକ ଖେଳରେ ନବୀନ ସଫଳ ହୁଅନ୍ତି ତେବେ ବିଜେଡି ଓ ନବୀନଙ୍କ ପାଇଁ ପ୍ରତ୍ୟାବର୍ତ୍ତନର ବାଟ ଫିଟିବ ବୋଲି ଆଶା କରାଯାଉଛି l ଯଦି ଦିଲ୍ଲୀପ ରାୟ ବାଜିମାତ କରନ୍ତି ତେବେ ଓଡ଼ିଶାରେ ବିଜେଡି ଯୁଗର ସୂର୍ଯ୍ୟାସ୍ତ ଏକ ପ୍ରକାର ନିଶ୍ଚିନ୍ତ ବୋଲି ରାଜନୀତି ମହଲରେ ଚର୍ଚ୍ଚା l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026