ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସୂଚନା ଅଧିକାର ଆଇନ, ୨୦୦୫’ କର୍ମଶାଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଆଜି ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିନିକିଆ କର୍ମଶାଳାରେ ରିସୋର୍ସ ପର୍ସନ ଭାବେ ଅଶୋକ ପଟ୍ଟନାୟକ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଉପ ଜିଲ୍ଲାପାଳ ଶ୍ରୀ ଭୋଇ ନିଜ ଅଭିଭାଷଣରେ କହିଥିଲେ ଯେ, ଆରଟିଆଇ ମାଧ୍ୟମରେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା ସହ ନାଗରିକମାନେ ସରକାରୀ ଯୋଜନା ବିଷୟରେ ସିଧାସଳଖ ତଥ୍ୟ ପାଇପାରିବେ । ଏହି ଆଇନ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିଥାଏ। ବିଶେଷ କରି ‘ସେକ୍ସନ ୪’ ଅନୁଯାୟୀ ସ୍ୱତଃପ୍ରବୃତ୍ତ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ନାଗରିକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ଆବେଦନ ସଂଖ୍ୟା ମଧ୍ୟ ହ୍ରାସ ପାଇବ । ଏହାକୁ ଏକ ବୋଝ ନଭାବି ସେବା ପ୍ରଦାନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳାରେ ସମସ୍ତ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ, ଡେପୁଟି କଲେକ୍ଟର ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଶ୍ରୀ ପଟ୍ଟନାୟକ ସୂଚନା ଅଧିକାର ଆଇନ ରେ ଦରଖାସ୍ତ ଗ୍ରହଣର ସମସ୍ତ ପ୍ରକ୍ରିୟା ସମ୍ପାଦାନ କୌଶଳ, କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ନିମିତ୍ତ ଆବଶ୍ୟକ ରେଜିଷ୍ଟର ଲିପିବଦ୍ଧ କରିବା ଆଦି ବିଷୟରେ ବିଶଦ ଆଲୋଚନା କରିଥିଲେ । ଏଥିସହ ଅଧିବେଶନରେ ଅଧିକାରୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ସୂଚନା ଅଧିକାର ଆଇନ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଏବଂ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ ।

Exit mobile version