ପୁରୀ ପୋଲିସ ପକ୍ଷରୁ ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ସମୀକ୍ଷା ବୈଠକ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାରେ ଆସନ୍ତା ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବକୁ ଶାନ୍ତିପୂର୍ଣ୍ଣ, ସୁସଂଖଳିତ ଏବଂ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଶନିବାର ପୁରୀ ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସପି ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ ମିଶ୍ର, ଦେବୀ ପ୍ରତାପ, ସଚିନ ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ସିଟି ଡିଏସପି ରସ୍ମିରଞ୍ଜନ ମହାପାତ୍ର, ସଦର ଡିଏସପି ମାନସରଞ୍ଜନ ବାରିକ ସହ ସମସ୍ତ ଏସ୍‌ଡିପିଓ ଓ ଜିଲ୍ଲାର ସମସ୍ତ ଥାନାର ଆଇଆଇସିମାନେ ଉପସ୍ଥିତ ଥିଲେ ।

ମିଟିଙ୍ଗରେ ଆଗାମୀ ପର୍ବ ପାଳନ ସମୟରେ ଆଇନ- ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ ରଖିବା, ସମ୍ଭାବ୍ୟ ସେନ୍ସିଟିଭ୍ ସ୍ଥାନଗୁଡ଼ିକରେ ବିଶେଷ ପୋଲିସ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ମଦ୍ୟପାନ, ବାଣ ଉପରେ ରୋକ ଓ ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ପୋଲିସ ଅଧୀକ୍ଷକ ମହୋଦୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ପର୍ବ ସମୟରେ ସାଧାରଣ ଲୋକଙ୍କ ସହ ସୁମଧୁର ବ୍ୟବହାର ରଖିବା ସହିତ ସଚେତନତା ମୂଳକ ପ୍ରଚାର କରାଯିବ । ସୋସିଆଲ୍ ମିଡିଆ ମାଧ୍ୟମରେ କୌଣସି ଭ୍ରାନ୍ତିକର ସୂଚନା ପ୍ରସାର ହେଲେ ତାହାକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପ୍ରସ୍ତୁତି କରିବାକୁ କହିଥିଲେ । ସେ ଆହୁରି କହିଥିଲେ ଯେ, ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ସମୟରେ ଶାନ୍ତି ରଖିବା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା।

ଯେକୌଣସି ଅସାମାଜିକ କାର୍ଯ୍ୟକଳାପ, ଦୁଷ୍କୃତି କିମ୍ବା ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ଅନୁସରଣ କରାଯିବ । ସମସ୍ତ ଥାନାରେ ପେଟ୍ରୋଲିଂ ବୃଦ୍ଧି, ଚେକିଂ କଡ଼ାକଡ଼ି, ଏବଂ ଆବଶ୍ୟକତାନୁସାରେ ବିଶେଷ ପୋଲିସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଟ୍ରାଫିକ ବ୍ୟବସ୍ଥା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ମୁତୟନ ହେବେ ଏବଂ ସିସିଟିଭି ମାଧ୍ୟମରେ ସତର୍କ ନଜର ରଖାଯିବ । ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଆହ୍ୱାନ କରୁଛି ଯେ, ସେମାନେ ଆଇନକୁ ସମ୍ମାନ କରି ଏବଂ ଦୋଳ ଓ ହୋଲି ପର୍ବ ପାଳନ କରନ୍ତୁ । କୌଣସି ଅସୁବିଧା ଦେଖାଦେଇଲେ ନିକଟସ୍ଥ ଥାନା କିମ୍ବା ୧୧୨ ସହ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Exit mobile version