ବିଶିଷ୍ଟ ସାହିତ୍ୟିକ ଡଃ ବୈଷ୍ଣବ ସାମଲଙ୍କ ୮୮ତମ ଜନ୍ମୋତ୍ସବ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ପାଳିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲଙ୍କ ୮୮ତମ ସ୍ୱନକ୍ଷତ୍ର ଉତ୍ସବ ଓ ତାଙ୍କ ଲିଖିତ ପ୍ରବନ୍ଧ ପୁସ୍ତକ ‘ପ୍ରାବନ୍ଧିକ ମାନସ ମନିଷା’ ଓ ‘ପ୍ରବନ୍ଧ ବିମର୍ଷ’ର ଲୋକାର୍ପଣ ଉତ୍ସବ ବୁଦ୍ଧମନ୍ଦିରଠାରେ ଧାରାଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ପ୍ରଫେସର ଡଃ ସାମଲଙ୍କର ଆମେ ସବୁ ଛାତ୍ର ।

ସାହିତ୍ୟ ଜଗତରେ ଯଦି ପ୍ରକୃତରେ ପଦ୍ମ ପୁରସ୍କାର କାହାକୁ ମିଳିବା କଥା, ତେବେ ଡଃ ସାମଲଙ୍କ ନାମ ଏକନମ୍ବରରେ ରହିବା କଥା । କିନ୍ତୁ ସବୁ କ୍ଷେତ୍ରରେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । ବିଶିଷ୍ଟ ବେଦବିତ୍‌୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ପ୍ରଫେସର ଡଃ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ଯେ, ଡଃ ବୈଷ୍ଣବ ଚରଣ ସାମଲଙ୍କ ସାହିତ୍ୟ ସାଧନା ଅନନ୍ୟ, ତାଙ୍କର ଶିକ୍ଷାଦାନ ଶୈଳୀ ମଧ୍ୟ ଅନୁକରଣୀୟ । ଜଣେ ଖୋଲା ହୃଦୟର ସ୍ପଷ୍ଟ କଥା କହୁଥିବା ମଣିଷଙ୍କ ପାଇଁ ଆଜି ଆୟୋଜକ ଶ୍ରୀ ମହାପାତ୍ରଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଉଛି ।

ଏହି ଅବସରରେ ଡଃ ସାମଲଙ୍କ ପୁସ୍ତକ ସହ କବି ଉମାକାନ୍ତ ପୃଷ୍ଟିଙ୍କ ‘ସ୍ମୃତିର ସାହାନାଇ’ ଓ ଡଃ ସୁନାକର ଦାସଙ୍କ ‘ପୁରାଣ ପୃଷ୍ଠାରୁ ପଶୁପକ୍ଷୀଙ୍କ କାହାଣୀ’ ଏବଂ ‘ସନ୍ଥ କବି ଭୀମଭୋଇ’ ପୁସ୍ତକ ଗୁଡ଼ିକ ଅତିଥିମାନେ ଲୋକାର୍ପିତ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଧାରାଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରଫେସର ବିଶ୍ୱରଞ୍ଜନ, ନଟବର ଖୁଣ୍ଟିଆ, ଡଃ ଗୋବିନ୍ଦ ଭୂୟାଁ ଓ ଡଃ ଦିଲ୍ଲୀପ ସ୍ୱାଇଁଙ୍କୁ ମୁଖ୍ୟ ଅତିଥି ଡଃ ଶାନ୍ତନୁ କୁମାର ଆଚାର୍ଯ୍ୟ ମାନପତ୍ର, ଉତ୍ତରୀୟ ଓ ଗୀତା ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଧାରାଶ୍ରୀରାଧା ଟ୍ରଷ୍ଟ, ଆର୍ଯ୍ୟସମାଜ ଓଡ଼ିଶା, କଳିଙ୍ଗ ପାଇକ ସଂଘ, ଓଡ଼ିଶା ପୂଜ୍ୟପୂଜା ଟ୍ରଷ୍ଟ, ଓଡ଼ିଶା ସଂସ୍କୃତି ସୁରକ୍ଷା ଅଭିଯାନ ଓ ବହୁ ଅନୁଷ୍ଠାନ ପକ୍ଷରୁ ପ୍ରଫେସର ସାମଲଙ୍କୁ ସାଲ୍‌, ମାନପତ୍ର ଓ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଫେସର ଡଃ ସାମଲଙ୍କୁ ଶୁଭେଚ୍ଛା ଜ୍ଞାପନ କରି ବରିଷ୍ଠ ବିଜେପି ନେତା ସୁରଥ ବିଶ୍ୱାଳ ଓ କଳିଙ୍ଗ ପାଇକ ସଂଘର କର୍ମକର୍ତ୍ତା ଇଂ ଶିଶିର କୁମାର ନାୟକ ଡଃ ସାମଲଙ୍କୁ ଜଣେ ଅହଂକାରଶୂନ୍ୟ ବ୍ୟକ୍ତିତ୍ୱ ବୋଲି କହିବା ସହ ତାଙ୍କର ସମସ୍ତ ଲେଖାକୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସୁରକ୍ଷିତ କରି ରଖିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧାରାଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଉପାଧ୍ୟକ୍ଷ ପୂର୍ବତନ ବରିଷ୍ଠ ପ୍ରଶାସକ ସହଦେବ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ ବସନ୍ତ କୁମାର ପଣ୍ଡା, ପ୍ରଫେସର ଡଃ ସାମଲଙ୍କ ପୁସ୍ତକର ସୀମକ୍ଷା କରିଥିଲେ । ଓଡ଼ିଆ ସାହିତ୍ୟର ମହାନାୟକ ଯୁଗପୁରୁଷ ଜଗବନ୍ଧୁ ସିଂହଙ୍କ ପୌତ୍ରୀ ଶ୍ରୀମତୀ ସୁଜାତା ସିଂଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ପ୍ରଫେସର ଡଃ ସାମଲ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇ କହିଲେ ଯେ, ଅଧ୍ୟାପନା ଜୀବନକାଳରେ ବହୁ ଛାତ୍ରଛାତ୍ରୀଙ୍କୁ ମୁଁ ସାହିତ୍ୟ ଶିକ୍ଷା ଦେଇଛି, କିନ୍ତୁ ଅମରେନ୍ଦ୍ର ମହାପାତ୍ରଙ୍କ ଭଳି ଜଣେ ଗୁରୁଗତ ପ୍ରାଣ ମଣିଷଙ୍କୁ ଧନ୍ୟବାଦ ଦେବାକୁ ମୋର ଭାଷା ନାହିଁ । ସମାଜରେ ପୂଜ୍ୟପୂଜାକୁ ଯେତେବେଳେ ନୂତନ ଯୁବପିଢି ଭୁଲିଯାଉଛନ୍ତି, ସେତିକିବେଳେ ଧାରାଶ୍ରୀରାଧା ଟ୍ରଷ୍ଟର ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ । ସମସ୍ତ କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପରିଚାଳନା କରିଥିଲେ ।

Exit mobile version