ପ୍ରଚାର ପ୍ରସାରରେ ଟଙ୍କା ଉଡାଉଛନ୍ତି କିନ୍ତୁ ଚାଷୀଙ୍କ ପାଇଁ ନାହିଁ, ୭୨ ଘଣ୍ଟାରେ ଚାଷୀଙ୍କ ଧାନ କିଣନ୍ତୁ ସରକାର, ମହିଳା ହିଂସା, ନାରୀ ନିର୍ଯାତନାରେ ସରକାର ରୋକ୍ ଲଗାନ୍ତୁ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟରେ ଧାନ ସଂଗ୍ରହକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ ଆୟୋଜନ କରି ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ।
ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ ।
ଏହି କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ଧାନ ସଂଗ୍ରହ ବ୍ୟବସ୍ଥିତ ହୋଇପାରି ନଥିବାରୁ ରାଜ୍ୟର କୃଷକ ମାନେ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ପଞ୍ଜିକରଣରେ ଜଟିଳ ବ୍ୟବସ୍ଥା, ଟୋକନ ମିଳିବା ନେଇ ଅବ୍ୟବସ୍ଥା, ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ, ମଣ୍ଡିରେ ଧାନ ଉଠିବାରେ ଅହେତୁକ ବିଳମ୍ୱ, କଟନୀ ଛଟନିରେ ସାତ ରୁ ଦଶ କିଲୋ ପ୍ରତି କୁଇଣ୍ଟାଲ ଧାନ କାଟିବା ଇତ୍ୟାଦି ଦ୍ୱାରା ରାଜ୍ୟର କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସରକାରଙ୍କ କୃଷକ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ, ବିଜୁ ଜନତା ଦଳ ଫେବୃଆରୀ ୨ ତାରିଖରୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ଆନେ୍ଦାଳନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଆଜି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚନ ମଣ୍ଡଳୀରୁ ୨୫ ହଜାରରୁ ଉଦ୍ଧ୍ୱର୍ କୃଷକମାନେ ଓ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ବିଜେଡିର ଏହି ବିଶାଳ ଚାଷୀ ସୁରକ୍ଷା ସମାବେଶରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଂତୃପ୍ତ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ରଶେଖର ସାହୁ,
