ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦୁ୍ୟତ ସେବା ପାଇଁ ଶକ୍ତିମନ୍ତ୍ରୀଙ୍କ ଗୁରୁତ୍ୱ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଲୋକଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦୁ୍ୟତ ସେବା ଯୋଗାଇବା ଉପରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗତକାଲି ଇନ୍ଦ୍ରାବତୀ ଜଳବିଦ୍ୟୁତ କେନ୍ଦ୍ରଠାରେ କଳାହାଣ୍ଡି ଜିଲ୍ଲାରେ ବିଦୁ୍ୟତ ସେବା ଉପରେ ସମୀକ୍ଷା କରି ମନ୍ତ୍ରୀ ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଲୋକେ ଯେପରି ସ୍ଥିର ବିଦୁ୍ୟତ ସେବା ପାଇପାରିବେ ତାହା ବିଭାଗର ଆଭିମୁଖ୍ୟ ହେବା ଉଚିତ ବୋଲି କହିଥିଲେ । ଇନ୍ଦ୍ରାବତୀ ବହୁମୁଖୀ ଜଳବିଦୁ୍ୟତ ଯୋଜନା କଳାହାଣ୍ଡିର ଭାଗ୍ୟ ବଦଳାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ଓଏଚ୍‌ପିସି, ଓପିଟିସିଏଲ୍‌, େୱସ୍‌କୋର ମିଳିତ ଉଦ୍ୟମ ଏହାକୁ ସମ୍ଭବ କରିପାରିଛି ବୋଲି ସେ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ସମୀକ୍ଷା କରି ମନ୍ତ୍ରୀ ବିଦୁ୍ୟତସେବା ଯୋଗାଣରେ ଜିଲ୍ଲାରେ ଯାହାକିଛି ସମସ୍ୟା ରହିଛି ତାହା ବଲାଙ୍ଗୀର-କେସିଙ୍ଗା ଲାଇନ୍‌ ସଂଯୋଗ ହେଲେ ବହୁ ପରିମାଣରେ ସମାଧାନ ହୋଇପାରିବ ବୋଲି କହିଥିଲେ । ଏଥି ସହିତ ସେ ଜୁନାଗଡ଼-ବାନେର୍‌ ୧୧ କେଭି ଲାଇନ୍‌, ବାନେର- ବଡ଼କୁଟ୍ରୁ ୩୩ କେଭି, ବାନେର-ଲଡ଼ୁଗାଁ ୩୩ କେଭି ଏବଂ ବାନେର-ଜୁନାଗଡ଼ ୩୩ କେଭି ଲାଇନ୍‌ ସଂଯୋଗର ଅଗ୍ରଗତି ସଂପର୍କରେ ସେ ସମୀକ୍ଷା କରିଥିଲେ । ପରେ ସେ ଜଳସଂପଦ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ ।

ଉପର ଇନ୍ଦ୍ରାବତୀ ଜଳବିଦୁ୍ୟତ ଯୋଜନାଠାରେ ଇକୋ-ଟୁରିଜିମ୍‌ ନିମନ୍ତେ ସ୍ଥାନ ନିରୁପଣ କରିବା, ବିଦୁ୍ୟତ ଉତ୍ପାଦନ କେନ୍ଦ୍ରର ସୌନ୍ଦର୍ଯ୍ୟକରଣ ସହ ଏହାର ପାରିପାଶ୍ୱର୍କ ବିକାଶ ଦିଗରେ ଧ୍ୟାନ ଦେବାକୁ ସେ ପ୍ରସ୍ତାବ ରଖିଥିଲେ । ଜୟପାଟଣାଠାରୁ ମୁଖୀଗୁଡ଼ା ଯାଏଁ ମୁଖ୍ୟରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଯୋଗୁଁ ଓଏଚ୍‌ପିସି ତୁରନ୍ତ ଏ ବିଷୟରେ ପୂର୍ତ୍ତ ବିଭାଗ ସହ ଯୋଗାଯୋଗ କରି ଏହାର ମରାମତି ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ଏଥି ସହିତ ସେ କେନାଲଗୁଡ଼ିକର ଆବଶ୍ୟକ ମରାମତି, ବନ୍ଧଗୁଡ଼ିକର ସୁଦୃଢ଼ୀକରଣ ଏବଂ କେନାଲର ଶେଷମୁଣ୍ଡ ଯାଏଁ ବିନାବାଧାରେ ଜଳ ପହଞ୍ଚିବା ନିମନ୍ତେ ମଝିରେ ମଝିରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯିବାକୁ ସେ ପରାମର୍ଶ ଦେଇଥିଲେ ା

ସେହିପରି ବାମ କେନାଲ୍‌ ମରାମତି ଏବଂ ଜଳପ୍ରବାହ ପରିଚାଳନା ସହ ଜଳସେଚନ ଯେପରି ସୁଚାରୁ ରୂପେ ହୋଇପାରିବ ସେଥିପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ କହିଥିଲେ । ପରେ ସେ ବିଦୁ୍ୟତ କେନ୍ଦ୍ରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଏହି ସମୀକ୍ଷା ବୈଠକରେ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନାର ୟୁନିଟ୍‌ ହେଡ୍‌ ଇଂ. ଜୋହର କୁମାର ପାତ୍ର, ଓଏଚ୍‌ପିସିର ସାଧାରଣ ପରିଚାଳକ ନବକୁମାର ନାୟକ, ସାଧାରଣ ଅର୍ଥ ପରିଚାଳକ ଦେବଲୋକ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

Exit mobile version