ପ୍ରସିଦ୍ଧ ଲକ୍ଷେଶ୍ୱରଙ୍କ ସମେତ ସବୁ ଶୈବ ପୀଠରେ ଲକ୍ଷାଧିକ ଭକ୍ତମୟ ପରିବେଶ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର ଏବଂ କଟକର ମଧ୍ୟ ସ୍ଥଳି ପାହାଳ ନଖରା ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ପୀଠ ସମେତ ସବୁ ଶୈବ ପୀଠର ପବିତ୍ର ମହାଶିବରାତ୍ରୀ ଓ ଜାଗର ଯାତ୍ରା ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଏହି ଅବସରରେ ଲକ୍ଷେଶ୍ୱର ମହାଦେବଙ୍କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

ପ୍ରାତଃ ସମୟରୁ ଲକ୍ଷେଶ୍ୱର ମହାଦେବଙ୍କ ଆଳତୀ ପରେ ବଡ଼ସିଂହାର ବେଶ ଦର୍ଶନ ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ସଂଧ୍ୟାରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ପୀଠରେ ଉଜାଗର ରହି ଜାଗର ଦୀପ ଜାଳି ମନସ୍କାମନା ପୂର୍ଣ୍ଣ ନିମନ୍ତେ ଆରଧନା କରିବା ସହ ଲକ୍ଷେଶ୍ୱର ସାଂସ୍କୃତିକ ପରିଷଦ ଓ ବଡ଼ସିଂହାର ବେଶ ସମିତ ପକ୍ଷରୁ ଭଜନ ସମାରୋହ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ଚକ୍ରାନ୍ତର ଶୁଭମହୁରତ ଅନୁଷ୍ଠିତ ହେବା ସହ ଏଥିରେ ଅଭିନୟ କରିଥିବା ଅଭିନେତା,ଅଭିନେତ୍ରୀ ଓ ସହ କଳାକାର ମାନେ ଯୋଗଦେଇଥିଲେ। ରାତ୍ର ୧୦ ଟା ପରେ ଜାଗର ମହାଦୀପ ମନ୍ଦିରକୁ ଉଠିବା ସହ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ପାହାଳ ଥାନା ସମେତ ବିଭିନ୍ନ ଥାନାର ପୋଲିସ ଓ ଜାତୀୟ ରାଜପଥ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।

ସେହିପରି, କଟକର ଗଡଗଡିଆ ମହାଦେବ,ନୁଆଗଡର ବାଲୁଙ୍କେଶ୍ୱର, ବାଗଲପୂରର ଦକ୍ଷିଣେଶ୍ୱର, ନିଆଳିର ପ୍ରଭୁ ସୋଭନେଶ୍ୱର, ଅନ୍ଧ କପିଳେଶ୍ୱର, ଗୋକର୍ଣେଶ୍ୱର , ରାମେଶ୍ୱର , ବୁଦ୍ଧିକେସ୍ୱର, ଅନନ୍ତପୁରର ନୀଳକଣ୍ଠେଶ୍ଵର , ସାଇଁସର ଲୋକନାଥ, ବାରୁନେଶ୍ୱର୍ , ନଗରୀର ବିଶ୍ଵନାଥ, ଉରାଳୀର ଗତେଶ୍ୱର,

ରାମନଗରର ରାମେଶ୍ୱର ପ୍ରଭୁତି ଶୈବ୍ ପୀଠମାନଙ୍କରେ ରାତ୍ରୀ ୧୦ ଟା ପରେ ମହାଦୀପ ମନ୍ଦିରକୁ ଉଠିବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ । ଏହି ଜାଗର ଯାତ୍ରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ, ଭଜନ, ସମାରୋହ, ପାଲା, ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Exit mobile version