• ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି”: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
• “ମହିଳାଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ” : ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
• “ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା” : ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ଏହି ଅବସରରେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଓ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ (Passport to Women Empowerment),ଏବଂ ନୂତନ ୱେବସାଇଟ୍ ଉନ୍ମୋଚିତ ହୋଇଥିଲା। ଏହା ସହିତ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ବରଂ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି।
ମହିଳାଙ୍କ ବିରୋଧରେ ହେଉଥିବା ହିଂସା, ଅପରାଧ ଏବଂ ଲିଙ୍ଗଗତ ବୈଷମ୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତୱାରୋପ କରିଥିଲେ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷ ମାନଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଫୁଲତୋଡ଼ା ବଦଳରେ ଫଳ ଚାଙ୍ଗୁଡ଼ି ବ୍ୟବହାର କରିବାର ଚିନ୍ତାଧାରାକୁ ଉପମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଏକ ସୃଜନଶୀଳ ପଦକ୍ଷେପ ବୋଲି କହିଥିଲେ।
ତୃଣମୂଳ ସ୍ତରରେ ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ବଣ୍ଟନ କରିବାକୁ ସେ କରିଥିବା ଆହ୍ୱାନକୁ ମନେ ପକାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସଠିକ୍ ପୋଷଣ ଏକ ସାମୂହିକ ଦାୟିତ୍ୱ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟକୁ ପ୍ରଶଂସା କରି ସେ ମହିଳାମାନଙ୍କୁ ନିଜ ଆଖିରୁ ଲୁହ ପୋଛି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟ ସରକାର ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାହେଉଛି ।