ଧରାରେ ବିରାଜମାନ ଋତୁରାଜ ବସନ୍ତ ସବୁଜ ଆମ୍ବଗଛରେ ହଳଦି ରଙ୍ଗର ବଉଳ ପେନ୍ଥା

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଧରାପୃଷ୍ଠରେ ପ୍ରବେଶ କରିଛି ଋତୁରାଜ ବସନ୍ତ । ପୁଲକିତ ହୋଇଛି ଧରଣୀ ରାଣୀ । ଆଦ୍ଯ ବସନ୍ତରୁ ଆମ୍ବଗଛରେ ଆସିଛି ଭରା ବଉଳ । ସୁକୁମାରୀ ବଉଳ ରାଣୀ । ସବୁଜ ଆମ୍ବଗଛକୁ ଆଚ୍ଛାଦିତ କରିଛି ବଉଳ ପେନ୍ଥା । ସବୁ ଗଛରେ ଫୁଲ ଫୁଟୁଥିବା ବେଳେ ଆମ୍ବଗଛ ଫୁଲକୁ ବଉଳ କୁହନ୍ତି । ଗଛର ବକଳରେ ଫୁଟୁ ଥିବାରୁ ଏହାର ନାମ ବଉଳ । ଆମ୍ବଗଛର ଶାଖା ପ୍ରଶାଖା ସବୁ କାଟିଦେଲେ ମଧ୍ଯ ଗଣ୍ଡି ବକଳରେ ବଉଳ ଫୁଟିଥାଏ ।

ଲୋକକଥା ଅଛି ଆମ୍ବ ବଉଳ ଫଗୁଣ ମାସେ-ଦିଗ ଚହଟେଇ ତାର ସୁବାସେ । ବଉଳର ମହକରେ ମଣିଷର ମନ ମହକିଥାଏ । ଶ୍ରୀମନ୍ଦିରରେ ଫାଲଗୁନ ଅମାବାସ୍ୟାରେ ବଉଳ ଅମାବାସ୍ୟା ନୀତି ପାଳିତ ହୁଏ । ସେଦିନ ମନ୍ଦିରରେ ଗଇଣ୍ଠା, ନାଡି ବଉଳ ଓ ଫେଣି ବଉଳ କୋଠଭୋଗରେ ଭୋଗ ଲାଗିଥାଏ । ଘରେ ଘରେ ଗଇଣ୍ଠା ପିଠା କରାଯାଇ ଆମ୍ବଗଛ ମୂଳେ ଭୋଗ କରି ପୋତିଲେ ବଉଳ ଝଡିନଥାଏ ଏବଂ ଆମ୍ବ ଅଧିକ ଆସିଥାଏ ବୋଲି ବିଶ୍ଵାସ ରହିଛି ।

କୁମାରୀ ଝିଅମାନେ ଆଦ୍ଯ ଯୌବନରେ ବଉଳ ଖୁଆଖୋଇ ହୋଇ ବଉଳ ସାଙ୍ଗ ହୋଇଥାନ୍ତି । ଆଉ ନାମ ଧରି ଡକାଡକି ହୁଅନ୍ତି ନାହିଁ । ବୃକ୍ଷକୁ ପୂଜା କରିବା ପରମ୍ପରା ଉତ୍କଳରେ ରହିଛି । ବଉଳର ବାସ୍ନାଯୋଗୁ ଆମ୍ବଗଛର ମହତ୍ତ୍ବ ବଢିଥାଏ । ଆମ୍ବଗଛରେ ବଉଳ ଧରିବା ଯୋଗୁ ଏହା ଅତି ସୁନ୍ଦର ଦେଖାଯାଇଥାଏ । ଆମ୍ବଗଛରେ ଭରା ବଉଳ ଦେଖି ପ୍ରକୃତିପ୍ରେମୀ, ପ୍ରେମୀ ଯୁଗଳ, କବି,ଲେଖକ ଓ ସାମ୍ବାଦିକ ମାନେ ଏକ ଭାବର ରାଇଜରେ ଘୁରି ବୁଲନ୍ତି ।

ଆମ୍ବ ବଉଳର ମହମହ ବାସ୍ନା, ମୃଦୁ ମଳୟର ସିଲି ସିଲି ପବନ, କୋଇଲିର କୁହୁ କୁହୁ ରାବ ପ୍ରେମୀଯୁଗଳଙ୍କୁ ଆନମନା କରିଥାଏ ଓ ପୁରୁଣା ସ୍ମୃତିକୁ ମନେ ପକାଇଥାଏ । ବଉଳ ଯୋଗୁ ପରିବେଶରେ ସୃଷ୍ଟି ହୋଇଥାଏ ନୂତନ ଉନ୍ମାଦନା । ଆମ୍ବ ବଉଳ ବସନ୍ତ ଋତୁକୁ ସ୍ବାଗତ କରିଥାଏ । ବସନ୍ତର ଆଗମନରେ ପଶୁ ପକ୍ଷୀ ଓ ଜୀବଜନ୍ତୁ ମାନେ ଚଳଚଞ୍ଚଳ ହୋଇଥାନ୍ତି । ଆମ୍ବ ବଉଳର ମହମହ ବାସ୍ନା ଯୁବକ ଯୁବତୀ ମାନଙ୍କ ମନ ମୋହିଥାଏ ।

ସୁକୁମାରୀ ଫୁଲେଇ ରାଣୀ ଆମ୍ବ ବଉଳ । ହାତ ବାଜିଲେ ଝଡି ପଡେ । କୁହୁଡି ପଡିଲେ ଆକତା ମାକତା ହୋଇଯାଏ ବଉଳ । କାକର ବିନ୍ଦୁ ବଉଳ ଉପରେ ପଡି ଆଖିରୁ ଲୁହ ଝରିବା ପରି ଟପ ଟପ ହୋଇ ଧରାପୃଷ୍ଠରେ ପଡେ । ଘନ କୁହୁଡିର ଧୂଆଁରେ ଶ୍ବାସରୁଦ୍ଧ ହୋଇଯାଏ ବଉଳ । ମଳୟର ସ୍ପର୍ଶରେ ଓ ବଉଳର ବାସ୍ନାରେ ମଣିଷର ମନ ପୁଲକିତ ହୋଇଥାଏ ।

ଏହି ସମୟରେ ହଳଦି ବସନ୍ତ ପକ୍ଷୀ ଦେଖାଦିଅନ୍ତି । ହଲଦି ବସନ୍ତ ପକ୍ଷୀକୁ ଦେଖିଲେ ଯାତ୍ରା ଶୁଭ ହୁଏବୋଲି ବିଶ୍ବାସ ରହିଛି । ବଉଳର ମୃଦୁ ବାସ୍ନାରେ ଶୀତ ଲୁଚିଲାଣି ଫରୁଆ ଭିତରେ । ପାଟଶାଢୀ ପିନ୍ଧି ସଜେଇ ହେଲାପରି ଦୃଶ୍ୟମାନ ହୁଏ ଆମ୍ବଗଛ । ବଉଳକୁ ନେଇ ଅନେକ ଗୀତ ରହିଛି । ଶ୍ରୀକ୍ଷେତ୍ର ସମେତ ଆଖପାଖ ଗ୍ରାମାଞ୍ଚଳରେ ଆମ୍ବଗଛରେ ବଉଳ ଆସିଛି ।

Exit mobile version