କମିଶନରେଟ୍ ପୋଲିସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର : ୬୭ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କମିଶନରେଟ୍ ପୋଲିସ ପକ୍ଷରୁ , ଆଚାର୍ଯ୍ୟବିହାର ସ୍ଥିତ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏଲ୍ଆଇଟି) କ୍ୟାମ୍ପସ୍ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୬୭ ୟୁନିଟ୍ ମୂଲ୍ୟବାନ ରକ୍ତ ସଂଗୃହୀତ ହୋଇଛି ।

ରେଡ଼କ୍ରସ ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ ଏବଂ ଉତ୍କଳ ଚାମ୍ବର ଅଫ୍ କମର୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ (ୟୁସିସିଆଇଏଲ୍) ଲେଡ଼ିଜ୍ ଫୋରମର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ୟୁସିସିଆଇଏଲ୍ ସଭାପତି ଶ୍ରୀ ପ୍ରବୋଧ ମହାନ୍ତି ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍ଘାଟିତ କରିଥିଲେ।

ଏହି ଅବସରରେ କମିଶନରେଟ୍ ପୋଲିସର ଅତିରିକ୍ତ ଡିସିପି ଶ୍ରୀ ମାନସ ରଞ୍ଜନ ଗଡ଼ନାୟକ, ୟୁସିସିଆଇଏଲ୍ ଲେଡ଼ିଜ୍ ଫୋରମର ସଭାନେତ୍ରୀ ଶ୍ରୀମତୀ ଭାରତୀ ବେହେରା, ୟୁସିସିଆଇଏଲ୍ ମିଡ଼ିଆ ଏବଂ ପିଆର୍ କମିଟିର ପୂର୍ବତନ ସଭାପତି ଶ୍ରୀ ନିଳାମ୍ବର ରଥ, ଲକ୍ଷ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଚେୟାରମ୍ୟାନ୍ ଶ୍ରୀ ସୁଶାନ୍ତ କୁମାର ରାଉତ,

ଅଧ୍ୟକ୍ଷ ଶ୍ରୀ ଦିଲେଶ୍ୱର ସାହୁ, ରେଡ଼କ୍ରସ ଆଞ୍ଚଳିକ ଶାଖାର ସଂସ୍ଥାପକ ସଦସ୍ୟ ଡ. ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ । ଏହି ଶିବିରରେ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର, କଟକର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ଅତିଥିଗଣ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ।

Exit mobile version