ଶ୍ରୀଜୀଉଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବୁଧବାର ପ୍ରତ୍ୟୁଷରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ପୁଷ୍କରିଣୀ ଶ୍ବେତଗଙ୍ଗାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା ପିଣ୍ଡଦାନ ସମାପନ କରାଯାଇଥିଲା । ପିଣ୍ଡଦାନ ପରେ ମହାମହିମ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ପୂର୍ଣାଙ୍ଗ ବେଶ ଦର୍ଶନ କରି ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡିଥିଲେ । ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ।

ରାଷ୍ଟ୍ରପତିଙ୍କ ପାଇଁ ଚୁନରା ସେବକ ନୀଳଚକ୍ରରେ ବାନା ବାନ୍ଧିଥିଲେ । ସାତ ପାହାଚରେ ପଣ୍ଡିତ ମାନେ ବେଦପାଠ କରିଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଓ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ସିଂହଦ୍ଵାର ପ୍ରବେଶ କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା ।

ସିଂହଦ୍ଵାର ନିକଟରେ ମହାରାଜା ଦିବ୍ଯସିଂହ ଦେବ ,ରାଜ୍ଯପାଳ ଡ. ହରିବାବୁ କମ୍ଭମପଟି, ମୁଖ୍ଯମନ୍ତ୍ରୀ ମୋହନ ମାଝୀ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜ଼ିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂ, ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ସମେତ ପାଳିଆ ସେବକ, ଅତିରିକ୍ତ ଜିଲ୍ଲାପାଳ ଉପଜିଲ୍ଲାପାଳ, ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଦର୍ଶନ ପରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ ଠାରେ ରାଇରଙ୍ଗପୁର ପ୍ରତ୍ଯାବର୍ତ୍ତନ କରିଛନ୍ତି ।

Exit mobile version