ସଂପର୍କ ଅନୁଷ୍ଠାନ ପକ୍ଷରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଔଷଧୀୟ ବୃକ୍ଷରୋପଣ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଂପର୍କ ଅନୁଷ୍ଠାନର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ଉପଲକ୍ଷେ ପୁରୀ ସ୍ଥିତ ସ୍ଥାନୀୟ ଆୟୁର୍ବେଦିକ କଲେଜ ପରିସରରେ ଏକ ଭବ୍ୟ ଓ ଅର୍ଥପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦେଶର ସାଧାରଣତନ୍ତ୍ର ମୂଲ୍ୟବୋଧକୁ ସ୍ମରଣ କରିବା ସହ ପରିବେଶ ସୁରକ୍ଷା ଓ ଆୟୁର୍ବେଦିକ ଚେତନା ପ୍ରସାରକୁ ଲକ୍ଷ୍ୟ କରି ଏହି ଅବସରରେ ବ୍ୟାପକ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହି ଔଷଧୀୟ ଗଛ ଲାଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ ସାଧାରଣତନ୍ତ୍ର ଦିବସ କେବଳ ଉତ୍ସବ ନୁହେଁ, ଏହା ଆମକୁ ଦେଶ, ସମାଜ ଓ ପରିବେଶ ପ୍ରତି ଦାୟିତ୍ୱବୋଧ ଶିଖାଏ। ଆୟୁର୍ବେଦ ଓ ପ୍ରକୃତି ସହ ଆମର ଅଟୁଟ ସମ୍ପର୍କ ରହିଛି, ତେଣୁ ଔଷଧୀୟ ବୃକ୍ଷରୋପଣ ଭଳି ପଦକ୍ଷେପ ଆଗାମୀ ପିଢ଼ି ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜୁଆଣି, ବେଲ, ଅଁଳା, ଗଙ୍ଗଶିଉଳି, ଲେମନ ଗ୍ରାସ, ଆଲୋଭେରା, ପଣସ ଓ ରୁଦ୍ରାକ୍ଷ ପରି ବିଭିନ୍ନ ପ୍ରକାର ଔଷଧୀୟ ଓ ଫଳଦାୟକ ଗଛ ରୋପଣ କରାଯାଇଥିଲା।

ଏହି ସମସ୍ତ ଗଛ ଆୟୁର୍ବେଦିକ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ହେବା ସହ ପରିବେଶ ସମତୁଳନ ରକ୍ଷାରେ ମଧ୍ୟ ଅବଦାନ ରଖିବ। ସଂପର୍କ ଅନୁଷ୍ଠାନର ସାଧାରଣ ସଂପାଦକ ସୌମେନ୍ଦ୍ର ଦାସ ଏହି ଅବସରରେ କହିଥିଲେ ଯେ ସଂପର୍କ ସଦା ସମାଜ ଉପକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛି। ସାଧାରଣତନ୍ତ୍ର ଦିବସରେ ପରିବେଶ ସୁରକ୍ଷା ସହିତ ଆୟୁର୍ବେଦିକ ଚେତନାକୁ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ବୋଲି ସେ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଶୁଭ ପ୍ରସାଦ ଶର୍ମା ,ଟି ବାନାମ୍ବର ସେନାପତି ,ବିଶ୍ୱଜିତ,ରାକେଶ ବାରିକ,ସୁପ୍ରୀତି ରଥ ସହିତ ସଂପର୍କ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ଥିଲେ।ସାଧାରଣତନ୍ତ୍ର ଦିବସରେ ଏଭଳି ସୃଜନାତ୍ମକ ଓ ପରିବେଶମୁଖୀ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବା ସହ ସମାଜରେ ଏକ ସକାରାତ୍ମକ ସନ୍ଦେଶ ପ୍ରସାର କରିଛି।

Exit mobile version