୯୧ତମ ସଂସ୍କୃତି ଚର୍ଚ୍ଚା ସମାରୋହ : ଓଡ଼ିଶା ରାଜ୍ୟ ଅଭିଲେଖାଗାର

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ମହାଭାରତୀୟ ଜାତୀୟତା ଭୁବନେଶ୍ୱର- ତା୩୦.୦୧.୨୦୨୬ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୯୧ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ସୁସାହିତ୍ୟିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ଅଭୟ ଦ୍ୱିବେଦୀ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।

ସମ୍ପାନର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଅଭୟ ଦ୍ୱିବେଦୀ କହିଥିଲେ ଯେ ଭାରତୀୟ ଜାତୀୟତା ହେଉଛି ଏକ ସାମୂହିକ ଚେତନା ଯାହା ସମସ୍ତ ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ଉଦ୍‌ବୁଦ୍ଧ କରିବା ସହିତ ଦେଶର ସାଂସ୍କୃତିକ, ଭାଷାଗତ ଏବଂ ଧାର୍ମିକ ବିବିଧତାକୁ ପରିପୁଷ୍ଟ କରିବା ପାଇଁ ପ୍ରେରଣା ଯୋଗାଇଥାଏ ଏବଂ ମହାଭାରତୀୟ ଜାତୀୟତା ହେଉଛି ଭାରତୀୟ ଜାତୀୟତାର ଉତ୍ତୁଙ୍ଗ ଶିଖର ଯାହା ଭାରତ ବର୍ଷକୁ ଅନ୍ୟତମ ପ୍ରାଚୀନତମ ସଭ୍ୟତା ଓ ଆଧ୍ୟାତ୍ମିକ ଚେତନାର ଜୀବନ୍ତ ସତ୍ତା ଭାବେ ପ୍ରତିପାଦନ କରେ ।

ହିଂସା ଓ ରକ୍ତପାତରେ ସାମ୍ରାଜ୍ୟ ପ୍ରତିଷ୍ଠା ନୁହେଁ, ସାର୍ବଜନୀନ କଲ୍ୟାଣ ଓ ସମଗ୍ର ମାନବଜାତିର ଉତ୍‌ଥାନ ହିଁ ଏହାର ଆଭିମୁଖ୍ୟ । ମହାଭାରତୀୟ ଜାତୀୟତା, ମାନବତାର ମାର୍ଗକୁ ନିରନ୍ତର ଆଲୋକିତ ଓ ପ୍ରଶସ୍ତ କରିଆସିଛି । ମହାଭାରତୀୟ ଜାତୀୟତା ହେଉଛି ସେହି କାଳଜୟୀ ସଭ୍ୟତାର ସ୍ୱରୂପ ଯାହା ସମଗ୍ର ମାନବ ସମାଜର ନୈତିକ ଓ ଆଧ୍ୟାତ୍ମିକ ମାନଦଣ୍ଡର ପରିଚାୟକ ।

ଏହି ମହାଭାରତୀୟ ଜାତୀୟତାର ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ଭାରତୀୟମାନେ ଦରିଆପାରି ରାଷ୍ଟ୍ରସମୂହରେ ସର୍ବ-ଧର୍ମ-ସମନ୍ୱୟର ସଂସ୍କୃତି ପ୍ରତିଷ୍ଠା କରିଥିଲେ ଏବଂ ଯେଉଁମାନେ ନୂତନ ଧର୍ମ ଓ ଦର୍ଶନର ବାର୍ତ୍ତା ନେଇ ଏହି ପବିତ୍ର ଭୂମିରେ ପ୍ରବେଶ କରିଥିଲେ, ସେମାନଙ୍କୁ ମଧ୍ୟ ଶ୍ରଦ୍ଧା ଓ ଆଦରର ସହ ସ୍ୱାଗତ କରିଥିଲେ । ଆଜକୁ ୫୦୦୦ ବର୍ଷ ଭାରତୀୟମାନେ ନୌବାଣିଜ୍ୟ ମାଧ୍ୟମରେ ଭାରତୀୟ ଉପମହାଦେଶ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହ ଏବଂ ଆଫ୍ରିକାରେ ପ୍ରବେଶ କରି ଭାରତୀୟତାର ଛାପ ଛାଡି ଆସିଛନ୍ତି ।

ସେ ସମସ୍ତ ଅଂଚଳ ଏକଦା ଭାରତୀୟ ଧର୍ମ, ସଂସ୍କୃତି, କଳା ଏବଂ ପରଂପରାରେ ଏତେ ଜୀବନ୍ତ ଓ ଚଳଚଞ୍ଚଳ ଥିଲା, ସେହି ଭୂଖଣ୍ଡ ବୃହତ୍ ଭାରତ (ଏକ୍ସରବଗ୍ଧରକ୍ସ ଓଦ୍ଭୟସବ) ନାମରେ ଅଭିହିତ ହେଉଥିଲା । ହିନ୍ଦୁ ଏବଂ ବୌଦ୍ଧ ଧର୍ମ ଓ ସଂସ୍କୃତିର ପ୍ରଭାବରେ ଭିଏତନାମରେ ଚମ୍ପା ସଭ୍ୟତା, କାମ୍ବୋଡିଆରେ ଫୁନାନ୍ ସାମ୍ରାଜ୍ୟ, ଇଣ୍ଡୋଚୀନରେ ଖମିରସାମ୍ରାଜ୍ୟ, ମାଳୟ ଦ୍ୱୀପପୁଞ୍ଜରେ ଗଙ୍ଗା ନଗର, ସୁମାତ୍ରାରେ ଶ୍ରୀବିଜୟନ ସାମ୍ରାଜ୍ୟ ଏବଂ ଜାଭା, ବାଲି ଏବଂ ଫିଲିଫାଇନ୍ ଦ୍ୱୀପପୁଞ୍ଜରେ ମାଜାପାହିତ ସାମ୍ରାଜ୍ୟ ଗଢ଼ି ଉଠିଥିଲା ।

ଏହାର ପ୍ରଭାବ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛି । ଫଳରେ ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଫିଲିପାଇନସ୍‌ରେ ଦୀପାବଳୀ ଏବଂ ଦକ୍ଷିଣ ଭାରତର ଥାଇପୁସମ୍ ପର୍ବ ଜାତୀୟ ଜନଜୀବନର ଅଂଶ ପାଲଟି ଯାଇଛି । ଏହାର ମୁଖ୍ୟ ଦ୍ୱାର ଥିଲା- ଭାରତ ମହାସାଗର । ଭାରତ ମହାସାଗରର କୋଣ ଅନୁକୋଣରେ ଭାରତୀୟ ଜାହାଜ ଏତେ ସଂଖ୍ୟାରେ ଚଳପ୍ରଚଳ ହେଉଥିଲେ ଯେ ଭାରତର ନାମ ଅନୁସାରେ ମହାସାଗରର ନାମକରଣ ହୋଇଥିଲା ।

ଏହା ହିଁ ହେଉଛି ମହାଭାରତୀୟ ଜାତୀୟତାର ସନ୍ତକ । ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।

Exit mobile version