ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ସରସ୍ବତୀ ପୂଜା ଆୟୋଜନ

ନୁଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏଠାକାର ପୁଷ୍ପଵିହାର ଠାରେ ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ୨୦ତମ ବାର୍ଷିକ ସରସ୍ବତୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜାମଣ୍ଡପକୁ ବହୁତ ରଙ୍ଗ ବେରଙ୍ଗର କପଡା,ଫୁଲ ଏବଂ ଆକର୍ଷଣୀୟ ଆଲୋକ ମାଳା ସହିତ ଭବ୍ଯ ଢଙ୍ଗରେ ସଜା ଯାଇଥିବାର ଦେଖାଯାଇଥିଲା ।

ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅପରାହ୍ନରେ ମା’ ଙ୍କର ପ୍ରତିମା ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । ଦିନ ତିନିଟା ବେଳେ ରାଜଧାନୀ କ୍ଷେତ୍ରର ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗଙ୍କ ସହିତ ବିଦ୍ୟାଦାତ୍ରୀ ଙ୍କର କରକମଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଚଳିତ ବର୍ଷର ବସନ୍ତ ପଞ୍ଚମୀ ପର୍ବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ଯ, ସ୍ବେଚ୍ଛାସେବୀ ଏବଂ ସହସ୍ରାଧିକ ସାଧାରଣ ଦର୍ଶକ ମାନଙ୍କ ମଧ୍ଯରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଦମ୍ଯ ଉତ୍ସାହ, ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା । ମହୋତ୍ସବରେ ଯୋଗଦେଇ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ,

ପୁଷ୍ପଵିହାର ଠାରେ ଓଡିଆ ସମ୍ପ୍ରଦାୟ ଦ୍ବାରା ନିୟମିତ ଭାବରେ ଆୟୋଜିତ ବାର୍ଷିକ ସରସ୍ବତୀ ପୂଜା ବର୍ତ୍ତମାନ୍ ଏକ ଗଣପର୍ବର ରୁପ ନେଇଥିବାରୁ ଆୟୋଜକ କମିଟିକୁ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସରସ୍ବତୀ ପୂଜାର ମୁଖ୍ଯ ଆକର୍ଷଣ ଥିଲା।

କଳାକାର ମାନେ ମନଲୋଭା ନୃତ୍ୟ,ତବଲା ଓ ଗିଟାର ଆଦି ଯନ୍ତ୍ର ସଂଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସୋସାଇଟି ତରଫରୁ ୩୦ ଜଣ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପଚାଶ ହଜାର କରି ଟଙ୍କାର ଶିକ୍ଷା ସହାୟତା ଯୋଗାଇ ଦିଆଯାଇଥିଲା ।

ପ୍ରଦୀପ୍ତ ପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନା କରିଥିଲେ । ପର୍ବକୁ ସଫଳତାର ଆୟୋଜନ କରିବାରେ ସୋସାଇଟିର ସଭାପତି ରବୀନ୍ଦ୍ର ସାମଲ, ଉପ-ସଭାପତି ଅନୁପ ନାୟକ, ସମ୍ପାଦକ ରାଧାଶ୍ୟାମ ସାହୁ,ଯୁଗ୍ମ ସମ୍ପାଦକ ନଳିନୀ କାନ୍ତ ରାଉତ ଏବଂ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଲେଙ୍କା ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

ସୋସାଇଟିର ବରିଷ୍ଠ ସଦସ୍ୟ ବୃନ୍ଦ ଯଥା, ଅମୁଲ୍ୟ ଓଝା, ପ୍ରକାଶ ବିଶ୍ୱାଳ, ମନୋଜ ସାହୁ, ଭେନୁ ଗୋପାଳ, ପ୍ରଦୀପ୍ତ ବେହେରା, ସରୋଜ ବିନ୍ଧାଣି, ଅଜୟ ଜେନା, ସଞ୍ଜୟ ଦଳେଇ, ରାଜ କିଶୋର ଏବଂ ବାସୁଦେବ ବେହେରା ପ୍ରମୁଖ ଆୟୋଜନରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।

Exit mobile version