ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦିନକୁଦିନ ବେପରୁଆ ଗାଡ଼ି ଚାଳନା ଓ ରାସ୍ତା ଜାମ ଜନିତସମସ୍ୟା ପାଇଁ ଜଟଣୀ ସହରରେ ଗାଡି ମୋଟର ଚାଳନା ଏକ ପ୍ରକାର ମରଣ ଯନ୍ତାରେ ପରିଣତ ହୋଇଥିବା ବେଳେ ବୁଧବାର ଅପରାହ୍ନରେ ସ୍ଥାନୀୟ ସବ୍ ରେଜିଷ୍ଟାର ଅଫିସ ଆଗରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ବିକାଶ କୁମାର ରଥ ନାମକ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି l

ଦେଖିବାକୁ ଗଲେ ମରଣ ଯନ୍ତା ପାଲଟିଛି ସହରର ମୁଖ୍ୟ ରାସ୍ତା,ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ଜଟିଳ ଟ୍ରାଫିକ ସମସ୍ୟା ହେତୁ ବାରମ୍ବାର ଅକାଳରେ ଚାଲିଗଲାଣି ଅନେକ ଜୀବନ ତଥାପି ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ  l ମିଳିଥିବା ସୂଚନା ଅନୁସାରେ ମୃତ ଯୁବକଙ୍କ ଘର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାମନ୍ତରାପୁରର ବୋଲି ପୁଲିସ ସୂଚନା ଦେଇଛି l

ସେ OD05Z 9472 ନମ୍ବର ବିଶିଷ୍ଟ ମୋଟରସାଇକେଲ ଯୋଗେ ଜଟଣୀ ହରିଭାଇନା ଛକ ଅଭିମୁଖେ ଯାଉଥିବା ବେଳେ ନିକଟରେ ଥିବା ଜିଏସଟି(ସେଲଟ୍ୟାକ୍ସ)ଅଫିସ କାର୍ଯ୍ୟାଳୟରୁ MP04CS4281 ନମ୍ବର ବିଶିଷ୍ଟ ଏକ କାର ବାହାରି ସବରେଜିଷ୍ଟର ନିକଟରୁ ୟୁଟର୍ନ ଦେଇ ଖୋର୍ଦ୍ଧା ଅଭିମୁଖେ ଯିବାକୁ ବାହାରୁଥିବା ସମୟରେ ବିପରୀତ ଦିଗରୁ ବାଇକରେ ଦ୍ରୁତ ଗତିରେ ଆସୁଥିବା ସ୍ବର୍ଗତଃ ରଥ ଭାରସାମ୍ୟ ହରାଇ କାରରେ ପିଟି ହୋଇ ମୁଖ୍ୟ ରାସ୍ତାର

ଡାଇଭର୍ଶନ ରାସ୍ତାକୁ ଛିଟିକି ପଡିଯିବା ହେତୁ ଅପରପାର୍ଶ୍ୱରେ ଯାଉଥିବା OD 02CX 4858 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ଛିଟିକି ପଡ଼ିଥିବା ଯୁବକଙ୍କ ଉପରେ ଚଢିଯାଇଥିଲା ଯାହାଫଳରେ ଦୁର୍ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ପ୍ରତକ୍ଷଦର୍ଶିଙ୍କ ଠାରୁ ପ୍ରକାଶl ଖବରପାଇ ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତିନୋଟି ଗାଡିକୁ ଜବତ କରି ଥାନାକୁ ଆଣିବା ସହିତ ପୋଷ୍ଟମାର୍ଟମ ନିମନ୍ତେ ମୃତ ଶରୀରକୁ ପଠାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା କହିଛନ୍ତି ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ ।

Exit mobile version