ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ନବାଙ୍କ ବେଶ ସହ ଚାଉଳ ମେଲଣ ଓ ଫୁଲ ମେଲଣ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ପ୍ରତ୍ୟକ ବର୍ଷ ମକର ସଂକ୍ରାନ୍ତି ର ପୂର୍ବଦିନ ମାସାନ୍ତରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଦିନ ସଂନ୍ଧ୍ୟା ଆଳତୀ ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ଫାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ ।

ଏହି ଦିନ ବଡସିଂହାର ବେଶରେ ସୋଲ ଓ ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ , ଚକ୍ର, ହଳ, ମୂଷଳ, କୁଣ୍ତଳ, ତଡଗୀ, ଇତ୍ୟାଦି ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର,ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥିଲା । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଯଥାକ୍ରମେ ସୋଲନିର୍ମିତ ମକର କୁଣ୍ତଳ ଓ ଶଙ୍ଖ ଚକ୍ର ହଳ ମୂଷଳ ଇତ୍ୟାଦି ଧାରଣ କରିଥିଲେ । ଏହି ବେଶ ନବାଙ୍କବେଶ ରୂପେ ପରିଚିତ । ପୂର୍ବେ ଏହି ବେଶ ସାମଗ୍ରୀ ଦକ୍ଷିଣପାର୍ଶ୍ୱ ମଠ (ଶ୍ରୀରାମ ଦାସ ମଠ) ଯୋଗାଇ ଆସୁଥିଲେ ।

ଗତ କିଛି ବର୍ଷ ଧରି ସମ୍ପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଇ ଆସନ୍ତି । ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳି ମାନେ ବାଘମୁହାଁ ବାନ୍ଧି ମାଳ ଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆରରେ ଘଣ୍ଟ , ଛତା , କାହାଳାଦି ସହ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଦେଇଥିଲେ ।

ମାଳ ଚୁଳ ମାନ ସନ୍ଧ୍ୟା ଆଳତୀ ବେଶରେ ଲାଗି ହୋଇଥିଲା । ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ ମଠରେ ମହାପ୍ରଭୁଙ୍କ ନିମନ୍ତେ ଗେଣ୍ଡୁ ପୁଷ୍ପ ଅଳଙ୍କାର ପ୍ରସ୍ତୁତ ହୋଇଥିଲା । ମକରସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଶ୍ରୀମନ୍ଦିର ରେ ପୂର୍ବ ରୀତିମତେ ସମ୍ପର୍ଣ୍ଣ ହୋଇଥିଲା । ନବାଙ୍କର ପୂର୍ବଦିନ ଦୁଧ ମେଲାଣ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ନବାଙ୍କ ବେଶ ଦର୍ଶନ କରିଛନ୍ତି ।

Exit mobile version