ବିଏମସି ଯାତ୍ରୀବାହୀ ଗାଡ଼ି ଚାଳକଙ୍କ ବେଆଇନ୍ କାର୍ଯ୍ୟକଳାପ ବଢ଼ୁଛି, ମଦ୍ୟପାନ କରି ଗାଡ଼ି ଚଳାଇ ଦୁର୍ଘଟଣା
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦିନକୁ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଚାଲୁଥିବା ବିଏମସିର ଯାତ୍ରୀବାହୀ ଗାଡ଼ି ସେବାରେ ଅନିୟମିତତା ଓ ବେଆଇନ୍ କାର୍ଯ୍ୟକଳାପ ଦ୍ରୁତ ଗତିରେ ବଢ଼ିବା ନେଇ ଅଭିଯୋଗ ଆସୁଛି ।
ଆଜି କଳିଙ୍ଗ ହସ୍ପିଟାଲ ଛକ ରୁ ଡମଣା ଛକ ଆଡ଼କୁ ଯାଉଥିବା ବିଏମସିର ଯାତ୍ରୀବାହୀ ମାରୁତି ସୁଜୁକି ସେରଲିଓ (ଓଡି–୦୨–ସି–୦୧୯୩୪) ଗାଡ଼ିର ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଗୋଟିଏ ଅଟୋ ସହିତ ଦୁଇଟି କାରକୁ ଧକ୍କା ଦେଇଥିବା ଜଣାପଡ଼ିଛି ।
ଏହି ଘଟଣାକୁ ନେଇ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେବା ସହ ଲୋକଙ୍କ ଜୀବନ ଝୁଲି ରହିଥିଲା । କିଛି ଦିନ ତଳେ ‘ଆମ ବସ୍’ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ,
ଏବେ ପୁଣି ବିଏମସି ଗାଡ଼ି ଦ୍ୱାରା ମଦ୍ୟନିଶାରେ ଗାଡ଼ି ଚଳାଇ ଲୋକଙ୍କ ଜୀବନକୁ ବାଜି ଲଗାଯାଉଥିବା ଘଟଣା ଚିନ୍ତା ବଢ଼ାଇଛି । ବିନା ପ୍ରଶିକ୍ଷଣ ଓ ଟ୍ରାଫିକ ନିୟମ ଉଲଂଘନ କରି ସରକାରୀ ଗାଡ଼ି ଚଳାଇବା ଅଭିଯୋଗ ସତ୍ତ୍ୱେ ଦାୟୀ ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନ ନିଆଯାଉଥିବାକୁ ନେଇ ସରକାରଙ୍କ ଅଣଦେଖା ନୀତି ଉପରେ ପ୍ରଶ୍ନ ଉଠୁଛି ।
