ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ବିଶ୍ୱଭରି ଓଡ଼ିଆଙ୍କର ସାମଗ୍ରିକ କଲ୍ୟାଣ ପାଇଁ ସଦା ସମର୍ପିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ୱାଓସୋର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସିଭିଲ ସର୍ଭିସ ଅଫିସର୍ସ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ଉତ୍କଳ ଉତ୍ସବକୁ ସମ୍ବୋଧନ କରି ଆମନ୍ତ୍ରିତ ଅତିଥିମାନେ ସାରା ପୃଥିବୀର ଓଡ଼ିଆମାନଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ କରି ମାତୃପ୍ରଦେଶ ଓଡ଼ିଶାର ଉନ୍ନତି ପାଇଁ ସେମାନଙ୍କର ଭୌତିକ ଓ ବୌଦ୍ଧିକ ସମ୍ବଳକୁ ବିନିଯୋଗ କରିବାରେ ଏହି ସଂସ୍ଥା ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଦର୍ଶାଇଛନ୍ତି।

ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି ମହୋତ୍ସବ ସ୍ଥଳରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଆଭାସୀ ମଞ୍ଚରେ ସାରା ବିଶ୍ୱରୁ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ପ୍ରମୁଖ ପ୍ରବାସୀ ଓଡ଼ିଆ ଏବଂ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ତୁଙ୍ଗ ନେତୃବୃନ୍ଦମାନେ ସାମିଲ ହୋଇଥିବା ଦେଖା ଯାଇଥିଲା।
ଏହି ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ୨୦୩୬ ମସିହାରେ ସ୍ୱର୍ଣ୍ଣିମ ଓଡ଼ିଶା ଗଠନ ପାଇଁ ୱାଓସୋର ପ୍ରତିବଦ୍ଧତାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଉଥିବା ଘୋଷଣା କରିଥିଲେ।ୱାଓସୋର ମହାସଚିବ ମାଞ୍ଚେଷ୍ଟର ନିବାସୀ ଶିବ ରଞ୍ଜନ ବିଶ୍ୱାଳ ପାଞ୍ଚବର୍ଷ ତଳେ ମାତ୍ର କୋଡ଼ିଏଟି ଦେଶର ସଦସ୍ୟତାରୁ ଆରମ୍ଭ କରି ଆଜି ଚୌସ୍ତରିଟି ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରୁଥିବା ଏହି ସଙ୍ଗଠନର ଜୟଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।
ପ୍ରତିଷ୍ଠା ପର୍ବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ,ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତା, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ରାଷ୍ଟ୍ରୀୟ ପତ୍ରକାର ମହାସଙ୍ଘର ଜାତୀୟ ସଭାପତି ଡଃ. ପବିତ୍ର ମୋହନ ସାମନ୍ତରାୟ, ବିଶିଷ୍ଟ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ ଏବଂ ବରିଷ୍ଠ ପ୍ରଶାସକ ସଞ୍ଜୀବ ପାଟ୍ଟଯୋଶୀ ପ୍ରମୁଖ ଓଡ଼ିଶା ବାହାରେ ବସବାସ କରୁଥିବା ସମଗ୍ର ବିଶ୍ୱର ଦେଢ଼କୋଟି ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ସଙ୍ଗଠନ ବନିପାରିଥିବାରୁ ୱାର୍ଲଡ ଓଡ଼ିଶା ସୋସାଇଟିକୁ ସାଧୁବାଦ ଜଣାଇବା ସାଙ୍ଗକୁ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ଏହି ଅବସରରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡଃ. ଗଣେଶୀ ଲାଲଙ୍କୁ ଓଡ଼ିଶା ସହିତ ତାଙ୍କର ନିବିଡ଼ ସମ୍ପର୍କ ଯୋଗୁଁ ପ୍ରଥମ ଉତ୍କଳ ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓ ଉତ୍କଳ ହସ୍ପିଟାଲର ଅଧକ୍ଷ ଡଃ. ଆଦିତ୍ୟ କୁମାର ସାମଲଙ୍କୁ ଓଡ଼ିଆଙ୍କର ହିତ ସାଧନ ପାଇଁ ଓ ଓଡ଼ିଶାର ପ୍ରଗତିରେ ତାଙ୍କର ବହୁମୂଲ୍ୟ ଅବଦାନ ଯୋଗୁଁ ‘ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମାନ’ ପ୍ରଦାନ କରାଯାଇଥିଲା।
ଦିଲ୍ଲୀ ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଏବଂ ଯୁବ ସମାଜସେବୀ ପ୍ରୀତୀଶ ରଞ୍ଜନ ଦାଶଙ୍କୁ ପ୍ରବାସରେ ରହୁଥିବା ଓଡ଼ିଆଙ୍କ ମଙ୍ଗଳ ପାଇଁ ସେମାନଙ୍କର ନିରବଚ୍ଛିନ୍ନ ଯୋଗଦାନ ଦୃଷ୍ଟିରୁ ଦ୍ଵିତୀୟ ପ୍ରବାସୀ ଓଡ଼ିଆ ସମ୍ମାନ ପ୍ରଦାନ କରାଯାଇଥିଲା। ଆମେରିକାର ନିବାସୀ ସ୍ବର୍ଗତଃ ପ୍ରଫେସର ଡକ୍ଟର ଦିଗମ୍ବର ମିଶ୍ରଙ୍କୁ ପ୍ରବାସୀ ଓଡ଼ିଆମାନଙ୍କ ଉଦ୍ଦେଶ୍ଯରେ ବହୁ ବର୍ଷ ଧରି ତାଙ୍କର ନିରନ୍ତର ସେବା ପାଇଁ ‘ମରଣୋତ୍ତର ପ୍ରବାସୀ ଓଡ଼ିଆ ସମ୍ମାନ’ ପ୍ରଦାନ କରାଯାଇଥିଲା।
ଏହି ସମ୍ମାନ ତାଙ୍କର ଧର୍ମପତ୍ନୀ ଜ୍ୟୋତ୍ସ୍ନା ମିଶ୍ର ଗ୍ରହଣ କରିଥିଲେ । ୱାଓସୋର ଭାରତ ଅଧ୍ୟାୟର ସଭାପତି ଡଃ. ବିପିନ ବିହାରୀ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅତିଥିମାନେ ‘ରତ୍ନଶ୍ରୀ’ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କୃତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ,