Home ଓଡ଼ିଶା ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ଅଧିକାଂଶ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ଅଭାବ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ଟିକାବାଲି ବ୍ଲକର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସରକାରୀ ମାନଦଣ୍ଡ ଅନୁସାରେ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ନେବାକୁ ଯାଉଛି । ପ୍ରାପ୍ତ ସୂଚନା ଅନୁସାରେ, ଟିକାବାଲି ବ୍ଲକରେ ମୋଟ ୭୮ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୦ ରୁ ଉର୍ଦ୍ଧ ଉଚ୍ଚ ବିଦ୍ୟାଳୟକୁ ମିଶାଇ ପାଖାପାଖି ୯୦ ଟି ବିଦ୍ୟାଳୟ ରହିଛି । ସରକାରଙ୍କ ଶିକ୍ଷକ-ଛାତ୍ର ଅନୁପାତ (ରେସିଓ) ଅନୁଯାୟୀ, ବର୍ତ୍ତମାନ ଏହି ବ୍ଲକରେ ଅତି କମରେ ୨୯ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଶିକ୍ଷକ ଅଭାବରୁ ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଭରସାରେ ଏକାଧିକ ଶ୍ରେଣୀ ଚାଲୁଥିବା ବେଳେ ପାଠପଢ଼ାର ମାନ ନିମ୍ନଗାମୀ ହେବାରେ ଲାଗିଛି । ଫଳରେ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି । ପରିସ୍ଥିତି ସେତିକିରେ ସରିନାହିଁ, ଚଳିତ ଶିକ୍ଷା ବର୍ଷ ଶେଷ ହେବା ମାତ୍ରେ ଟିକାବାଲି ବ୍ଲକରୁ ପର୍ଯ୍ୟାୟ କ୍ରମେ ୧୩ ଜଣ ଅଭିଜ୍ଞ ଶିକ୍ଷକ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଅବସର ପରେ ଶିକ୍ଷକ ଶୂନ୍ୟସ୍ଥାନ ସଂଖ୍ୟା ଆହୁରି ବଢ଼ିବା ସହ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଯଦି ତୁରନ୍ତ ନୂତନ ନିଯୁକ୍ତି ଦିଆନଯାଏ, ତେବେ ଆଗାମୀ ଶିକ୍ଷା ବର୍ଷରେ ସ୍କୁଲ ଗୁଡ଼ିକ କିଭଳି ଚାଲିବ, ସେନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି । ବ୍ଲକରେ ସୃଷ୍ଟି ହୋଇଥିବା ଏହି ସଙ୍କଟ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପି କେ ନାୟକ କହିଛନ୍ତି ଯେ, ଶିକ୍ଷକ ଅଭାବ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ଆଗାମୀ ଦିନର ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି କିମ୍ବା ବିକଳ୍ପ ବ୍ୟବସ୍ଥା କରାଗଲେ ହିଁ ସ୍ଥିତି ସୁଧୁରିବ ବୋଲି ସେ ପ୍ରକାଶ କରିଛନ୍ତି । ସରକାରଙ୍କ ୫-ଟି ଏବଂ ସ୍କୁଲ ରୂପାନ୍ତରଣ ଯୋଜନାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, “ସରକାର ସ୍କୁଲର ଭିତ୍ତିଭୂମି ସଜାଡ଼ିବା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି । ଶିକ୍ଷକ ନଥିଲେ ପିଲାଙ୍କ ଭବିଷ୍ୟତ କ’ଣ ହେବ?” ଯଦି ଶୀଘ୍ର ଶିକ୍ଷକ ନିଯୁକ୍ତି କରା ନ ଯାଏ ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ସ୍କୁଲ ଗୁଡିକରେ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ by Proprietor Abhimanyu Maharana August 17, 2026 Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026 ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍ର ଶୁଭାରମ୍ଭ by Proprietor Abhimanyu Maharana August 17, 2026 ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026