ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ—ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରଣପୁର ସ୍ଥିତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି ।

ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀଣୀ ରଙ୍ଗୀନ ମହାନ୍ତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର,

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର ଓ ପଞ୍ଚଶଖା ଶିକ୍ଷା ସେତୁ ସଭାପତି ନବ କିଶୋର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଏଲିନା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ରଚିତ ସ୍ୱାଗତ ସଙ୍ଗୀତ ଗାନ କରି ସଭାକୁ ମନମୁଗ୍ଧ କରିଥିଲେ ।

ଏଥିରେ ଶିକ୍ଷକ ଭାସ୍କର ସ୍ୱାଇଁ ବାଦ୍ୟଯନ୍ତ୍ର ବାଦନରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ହସ୍ତରେ ସାହିତ୍ୟ ସୃଜନୀ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମନୀଷା ପତି,

୨୦୨୫–୨୬ ଶିକ୍ଷାବର୍ଷର ମାଟ୍ରିକ ବ୍ଲକ ଟପ୍ପର ଆଦିତ୍ୟ ପ୍ରସାଦ ପତି ଓ ଜାତୀୟ ସ୍ତରର ଖେଳରେ ସୁନାମ ଅର୍ଜନ କରିଥିବା ରେବତୀ ମଲ୍ଲିକଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଗାନ ସହ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ହୋଇଥିଲା । ସେଥିପାଇଁ  “ଓଡ଼ିଶା@୨୦୩୬”, “ଛାତ୍ରଛାତ୍ରୀଙ୍କ ଦକ୍ଷତା ଗ୍ୟାଲେରୀ” ଓ

“ଦୋକାନ ବଜାର” ନାମରେ ତିନୋଟି ବଡ଼ ପ୍ରଦର୍ଶନୀ ଷ୍ଟଲ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । “ଓଡ଼ିଶା@୨୦୩୬” ଷ୍ଟଲରେ ଛାତ୍ରଛାତ୍ରୀମାନେ ୨୦୩୬ ସୁଦ୍ଧା ଓଡ଼ିଶାର ସମ୍ଭାବ୍ୟ ଉନ୍ନତି ରୂପରେଖା ସମ୍ପର୍କିତ ପ୍ରକଳ୍ପ,

 

ଚିତ୍ର ଓ ଲେଖା ପ୍ରଦର୍ଶନ କରିଥିଲେ । ଦକ୍ଷତା ଗ୍ୟାଲେରୀରେ ସୂଚନା ଓ ବୈଷୟିକ ବିଜ୍ଞାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନବଚିନ୍ତନ ଓ ସୃଜନଶୀଳତାର ପ୍ରତିଫଳନ ଦେଖିବାକୁ ମିଳିଥିଲା । “ଦୋକାନ ବଜାର” ଷ୍ଟଲରେ ପିଲାମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରି ଆତ୍ମନିର୍ଭରଶୀଳତାର ମୂଲ୍ୟବୋଧ ଶିଖିଥିଲେ ।

 

ଉଦଯାପନୀ ସଭାରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ମୁଖ୍ୟ ଅତିଥି ଓ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।

ସମଗ୍ର କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ–ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ–ସଦସ୍ୟା ଓ ବିଦ୍ୟାଳୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।

Exit mobile version