ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ଉଦଯାପିତ : ସଂସ୍କୃତି ଓ ସଙ୍ଗୀତର ଧୁନରେ ଝୁମିଲେ ଦର୍ଶକ ବଢୁଥିଲା ଶୀତର ଲହର ଓ ସଙ୍ଗୀତ ର ଝଙ୍କାର ରେ ଝୁମୁଥିଲେ ଦର୍ଶକ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପାଞ୍ଚ ଦିବସୀୟ ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ଉଦଯାପିତ ହୋଇଯାଇଛି । ଭବ୍ୟ ଓ ଆନନ୍ଦମୟ ପରିବେଶରେ ଉଦଯାପନୀ ସଭାରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତି ମହୋତ୍ସବର ଗରିମା ବୃଦ୍ଧି କରିଥିଲା l ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ସଂସ୍କୃତିକ ଉତ୍ସବଗୁଡ଼ିକ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖେ ବୋଲି କହିଥିଲେ ।

ମୁଖ୍ୟ ବକ୍ତା ଭାବେ କୋରେଇ ବିଧାୟକ ଆକାଶ ଦାଶ ନାୟକ ରଣପୁରର ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇଥିଲେ l  ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ l

ଶକ୍ତି ପ୍ରସାଦ ଆଚାର୍ଯ୍ୟ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟ ତୁଲାଇଥିଲେ l ଅପରାହ୍ନରେ ବରିଷ୍ଠ ଆଇନୀଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ଦ୍ୱାରା କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଁଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ଜ୍ଞାନ ଓ ପ୍ରତିଭାର ପ୍ରଦର୍ଶନ କରିଥିଲେ ।

ଉଦଯାପନୀ ସନ୍ଧ୍ୟା ଆରମ୍ଭ ରୁ ରଣପୁର ର ଗର୍ବ ଓ ଗୌରବ ର ପ୍ରତୀକ ଭାବେ ଜଣାଶୁଣା ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା ଓ ଅର୍ଜୁନ ରାଉତଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଇତିହାସ ର କିଛି ସ୍ମୃତି କୁ ମନେ ପକାଇ ଶହୀଦ ଏବଂ ରଣପୁର ରାଜମାତା ସ୍ବର୍ଗତ ବସନ୍ତ ମଞ୍ଜରୀ ଦେବୀ ତଥା ରଣପୁରର ଐତିହ୍ୟ ଓ ପରମ୍ପରାକୁ ବହନ କରୁଥିବା ପୁରାତନ ଫୋଟୋ ପ୍ରଦର୍ଶନୀ ଷ୍ଟଲ୍ ର ବ୍ୟବସ୍ଥା କରାଯାଇଥିଲା ।

ଏବଂ ବସନ୍ତ ମଞ୍ଜରୀ ଦେବୀ ଙ୍କ ଏକ ବାଲୁକା କଳା ନିର୍ମାଣ କରାଯାଇଥିଲା ।
ତତ୍ ସହିତ ସ୍ଥାନୀୟ ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ବିଶେଷକରି ନାଟିମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆରିୟା ଅମ୍ରିତାଙ୍କ ନୃତ୍ୟ ପ୍ରସ୍ତୁତି ଦର୍ଶକଙ୍କ ଠାରୁ ଭରପୁର ତାଳି ଲୁଟିଥିଲା ।

ହାସ୍ୟର ରଙ୍ଗ ଭରିଦେଇଥିଲେ ‘ପାଲିଟିକାଲ ସର୍କସ ବୋଲଗଡ଼ ଏକ୍ସପ୍ରେସ’ ଟିମର ବ୍ରଜ ବିହାରୀ ସୁବୁଦ୍ଧି, ସତ୍ୟବ୍ରତ ବାବୁ ଓ ରବି ବାବୁ ଯେଉଁମାନେ ନିଜ କମେଡି ଅଭିନୟରେ ସଭାସ୍ଥଳୀକୁ ହାସ୍ୟରଞ୍ଜିତ କରିଦେଇଥିଲେ । ସଭାକାର୍ଯ୍ୟ ପରେ ପରେ ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ ଓ ତାଙ୍କ ଟିମଙ୍କ ଧମାକାଦାର ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲା l

ସମଗ୍ର ମହୋତ୍ସବ ସଫଳ ଓ ସ୍ମରଣୀୟ ହୋଇ ରଣପୁରର ସଂସ୍କୃତିକ ପରିଚୟକୁ ରାଜ୍ୟସ୍ତରରେ ଆହୁରି ଉଜ୍ଜ୍ୱଳ କରିଥିବା ଆୟୋଜକ ଓ ଦର୍ଶକମାନେ ମତ ପ୍ରକାଶ କରିଛନ୍ତି । ଏହି ଉଦଯାପନୀ ଦିବସରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ବ୍ୟସାୟିକ ବ୍ୟପାର ଖୁବ୍ ଜୋରସୋରରେ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Exit mobile version