ବାଲି ମାଫିଆ, ପ୍ରଶାସନ ସାଲିସ – ମାଲିସ୍ ବିନା ଜରି ପାଲରେ ବାଲି ପରିବହନ ଗାଡ଼ିକୁ ଯାଞ୍ଚ ହେଉନି

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ନଦୀ ଗୁଡିକରୁ ମନ ଇଛା ବାଲି, ମୋରମ ଓ ପଥର ଖାଦାନରୁ ଖଣିଜ ପଦାର୍ଥ ଚୋରାଚାଲାଣ ଚାଲିଛି । ସେଥି ମଧ୍ୟରୁ ବାଲି ଚୋରୀ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ପ୍ରଶାସନର ଗୋଚରରେ ବେଧଡକ ଲଘୁ ଖଣିଜ ପଦାର୍ଥ ଲୁଟ୍ ଚାଲିଥିଲେ ମଧ୍ୟ ସମସ୍ତେ ପାଲଟିଛନ୍ତି ନିଦା ବିଷ୍ଣୁ। ଏଥିରୁ ଗଞ୍ଜାମ ଜିଲ୍ଲା ମଧ୍ଯ ବାଦ୍ ପଡିନି । ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ମଧ୍ୟରେ ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଛି । ପ୍ରଶାସନ ସବୁ କିଛି ଜାଣି ସତେ ଯେପରି ନ ଜାଣିଲା ପରି ଅଭିନୟ କରିଛି ।

ସଦା ସର୍ବଦା ଓ ସବୁ ସମୟରେ ବ୍ୟସ୍ତ ବହୁଳ ଲାଗି ରହିଥିବା ହିଞ୍ଜିଳିକାଟୁ ସହରର ୫୯ ନଂ ଜାତୀୟ ରାଜପଥ ଦେଇ ଦୈନିକ ବାଲି ବୋଝେଇ ଟିପ୍ପର ଓ ହାଇୱା ଭଳି ଭାରି ଗାଡ଼ି ଗୁଡ଼ିକ ଦୃତ ଗତିରେ ଯିବା ଆସିବା କରୁଥିବା ଦେଖା ଯାଇଛି । ଦୈନିକ ଭୋର୍ ସମୟରୁ ପ୍ରାୟ ଶହ ଶହ ବାଲି ବୋଝେଇ ଭାରି ଗାଡ଼ି ଗୁଡ଼ିକ ବିଳମ୍ବିତ ରାତି ଯାଏଁ ହିଞ୍ଜିଳିକାଟୁ ସହର ଦେଇ ପରିବହନ କରୁଥିବା ବେଳେ ଛୋଟ ବଡ ଦୁର୍ଘଟଣା ଘଟି ଜନ ଜୀବନ ପ୍ରଭାବିତ ହେବା ନଜିର ରହିଛି ।

ଆସିକା ଅଞ୍ଚଳର ଲିଜ ଥିବା ଓ ଲିଜ ହୋଇ ନ ଥିବା କିଛି ବାଲି ଘାଟରୁ ପ୍ରଚୁର ପରିମାଣରେ ଟିପ୍ପର ଓ ହାଇୱା ଯୋଗେ ନିୟମିତ ବ୍ୟବଧାନରେ ବେଆଇନ ଭାବେ ବାଲି ପରିବହନ ଏବେ ନିତିଦିନିଆ ବ୍ୟବସାୟ ପାଲଟିଛି । ଏହା ବ୍ୟତୀତ ଗତ କିଛି ଦିନ ଧରି ପୁରୁଷୋତ୍ତମପୁର ଓ ଏହାର ଆଖପାଖ ଅଞ୍ଚଳରୁ ଋଷିକୁଲ୍ୟା ନଦୀ ଗର୍ଭରୁ ବେଆଇନ ଭାବେ ୩୬ ନଂ ରାଜ୍ୟ ରାଜପଥରେ ବାଲି ପରିବହନ ଚାଲିଥିବା ମଧ୍ଯ ଅଭିଯୋଗ ହୋଇଛି ।

ଏହାକୁ ନେ଼ଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ ଉଭୟ ଆସିକା ଓ ପୁରୁଷୋତ୍ତମପୁର ଅଞ୍ଚଳରୁ ପରିବହନ ହେଉଥିବା ବାଲି ବୋଝେଇ ଭାରି ଗାଡ଼ି ଗୁଡ଼ିକ ଉପରେ ହିଞ୍ଜିଳି ପୋଲିସ, ତହସିଲ ଓ ହିଞ୍ଜିଳିକାଟୁ ପାଇଁ ନିୟୋଜିତ ହୋଇଥିବା ଜିଲ୍ଲା ଖଣିଜ ବିଭାଗର କନିଷ୍ଠ ଖଣିଜ ଅଧିକାରୀଙ୍କ ଆଦୌ କର୍ତ୍ତୃତ୍ଵ ନ ଥିଲା ପରି ଦେଖା ଯାଇଛି । ଫଳରେ ସରକାର ଓ ଲଘୁ ଖଣିଜ ବିଭାଗର ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଭାରି ଗାଡ଼ି ଗୁଡ଼ିକ ବେଶ ଆରାମରେ ଦୃତ ଗତିରେ ଯିବା ଆସିବା କରୁଥିବା ଦେଖା ଦେଇଛି ।

ଏପରିକି ସହର ମଧ୍ଯ ଦେଇ ସଂଖ୍ୟାଧିକ ବାଲି ବୋଝେଇ ଭାରି ଗାଡ଼ି ଜରି ପାଲ ବ୍ୟବହାର ନ କରି ଅତି ଦୃତ ଗତିରେ ବ୍ରହ୍ମପୁର ଦିଗରେ ଗତି କରୁଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତି ସହରବାସୀ, ବିଦ୍ୟାଳୟ ଗୁଡ଼ିକୁ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀ, ବ୍ୟବସାୟିକ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକ ଓ ବାଇକ ଆରୋହୀଙ୍କ ପାଇଁ ବିପଦ ପାଲଟିଛି। ବିନା ଜରି ପାଲରେ ବାଲି ବୋଝେଇ ଭାରି ଗାଡ଼ି ଗୁଡ଼ିକ ଯିବା ଆସିବା କରୁଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ଆଦୌ ତତ୍ପରତା ମଧ୍ଯ ପ୍ରକାଶ ପାଉ ନ ଥିବା ଦେଖା ଯାଇଛି ।

ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଓ ନିରାପତ୍ତା ପ୍ରତି ସରକାରଙ୍କ ପ୍ରାଥମିକତା ରହିଛି ।କିନ୍ତୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏସବୁ ଦେଖୁଥିବା ବେଳେ ସାଲିସ ଓ ମାଲିସ୍ ନୀତି ଆପଣେଇ ବାଲି ପରିବହନ ଭାରି ଗାଡ଼ି ଗୁଡ଼ିକର ଆବଶ୍ୟକ କାଗଜ ପତ୍ର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ବ୍ୟବସ୍ଥା ଅକାମୀ ପାଲଟିଛି । କେବଳ ଧର୍ମକୁ ଆଖି ଠାର ଭଳି କେବେ କେମିତି ଗାଡି ଗୁଡ଼ିକୁ ଯାଞ୍ଚ କରୁଥିବା ସାଧାରଣରେ ଆଲୋଚନା ହୋଇଛି ।

Exit mobile version