ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶ୍ରୀମନ୍ଦିର ସାତପାହାଚ ନିକଟରେ ରବିବାର ଦିନ ସକାଳେ ଜେଟିପି ଓ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷାବାହିନୀ ମଧ୍ଯରେ ବଚସା ଓ ଧସ୍ତାଧସ୍ତିକୁ ନେଇ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିନଥିଲେ । ଏହି ଘଟଣାକୁ ନେଇ ସୋମବାର ଦିନ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉଭୟପକ୍ଷ ଭବିଷ୍ୟତରେ ଏପରି ଘଟଣା ଘଟାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ଯ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ।
ଏହି ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ,ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀର ଅଧିକାରୀ ଓ ଶ୍ରୀମନ୍ଦିର କମାଣ୍ଡର ଓ ନୀତିକାନ୍ତିର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତି ମାସରେ ସମନ୍ବୟ ବୈଠକ କରାଯିବ । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସୁରକ୍ଷା ବାହିନୀ ଓ ଜେଟିପି ଯୋଗଦେବେ । ମହାପ୍ରଭୁଙ୍କ ପ୍ରୋଟୋକଲ ଦର୍ଶନ ଶ୍ରୀମନ୍ଦିର କାର୍ଯ୍ଯାଳୟ ପକ୍ଷରୁ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଏସଓପି ବ୍ଯବସ୍ଥା ହେବ । ଶ୍ରୀମନ୍ଦିର ଭିତର ମୋବାଇଲ ଫୋନରେ କେହି ଫଟୋ ଉଠାଇବେ ନାହିଁ ।

