ରଣପୁର ଅର୍ଜୁନ ମହୋତ୍ସବ ୨୦୨୬ ର ପ୍ରଥମ ସଂଧ୍ୟାରେ ଦର୍ଶକଙ୍କ ର ମନ ମୋହିଲା ପୁରୀର ମାଲଖମ୍ବ ନୃତ୍ୟ

ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ଅର୍ଜୁନ ମହୋତ୍ସବର ରାତି ରଙ୍ଗିନ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି । ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ବାଚସ୍ପତି ମା ମଣିନାଗଙ୍କ ମନ୍ଦିରରେ ପୂଜାର୍ଚନା କରିବା ପରେ ପତାକା ଦେଖାଇ ଗଣ ଦୌଡ଼ର ଶୁଭାରମ୍ଭ କରିଥିଲେ। ଗଣ ଦୌଡ଼ରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

ଏହା ପରେ ଗଡ଼ବାଣିକିଲୋ, ଦର୍ପଣନାରାୟଣପୁର, ମୟୂରଝାଲିଆ, ଡିମିରିଆ ଆଦି କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶହୀଦ ଜ୍ୟୋତି ଆଣି ରଣପୁର ପଞ୍ଚୁଦୋଳ ମଣ୍ଡପରେ ପହଂଚିଥିଲେ । ସେହି ସମୟରେ ଆଖପାଖ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ମଧ୍ୟ ମହୋତ୍ସବ ପଡିଆରେ ପହଂଚି ଉତ୍ସବର ଆକର୍ଷଣ ବଢ଼ାଇଥିଲେ । ପରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଶହୀଦ ଜ୍ୟୋତିଗୁଡ଼ିକୁ ମହୋତ୍ସବ ପଡିଆକୁ ନିଆଯାଇଥିଲା । ଶହୀଦମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସେଠାରେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭକ୍ତି, ଦେଶପ୍ରେମ ଓ ସାଂସ୍କୃତିକ ଉତ୍ସାହର ସମନ୍ୱୟ ସହ ରଣପୁର ମହୋତ୍ସବର ଏହି ଉଦଘାଟନୀ କାର୍ଯ୍ୟକ୍ରମ ଉପସ୍ଥିତ ଜନସାଧାରଣଙ୍କ ମନକୁ ଆନନ୍ଦ ଓ ଗର୍ବରେ ଭରିଦେଇଥିଲା ।

ସନ୍ଧ୍ୟାବେଳେ ରଣପୁର ମହୋତ୍ସବ ପଡିଆ ଉତ୍ସବମୟ ପରିବେଶରେ ଗୁଞ୍ଜରି ଉଠିଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ଦେଶଭକ୍ତିମୂଳକ ଗୀତ ଓ ନାଟ୍ୟ ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛୋଟ ଛୋଟ ଶିଶୁମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଓ ଆଞ୍ଚଳିକ କଳାକାରଙ୍କ ଦକ୍ଷତା ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହା ପରେ ମହୋତ୍ସବର ପ୍ରଥମ ଦିବସର ସଭାକାର୍ଯ୍ୟ ମହୋତ୍ସବର ଅଧ୍ୟକ୍ଷା ତଥା ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଯୋଗ ଦେଇ ରଣପୁରର ସାଂସ୍କୃତିକ ପରମ୍ପରା ଓ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।

 

ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ସିନେ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ଓ ଗୋପାଳପୁର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଯୋଗ ଦେଇ ମହୋତ୍ସବର ସଫଳତା କାମନା କରିଥିଲେ ।

ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ l ସଙ୍ଗୀତ କଳା ବିଦ୍ୟା ନିକେତନ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ l ସଭାକାର୍ଯ୍ୟ ପରେ ପୁରୀର ପ୍ରସିଦ୍ଧ ଫିଟ୍ ଫାଇଟର ଗ୍ରୁପ ଦ୍ୱାରା ରୋମାଞ୍ଚକର ମାଲଖମ୍ବ ନୃତ୍ୟ ପରିବେଷଣ କରାଯାଇଥିଲା,

ଯାହା ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ସୃଷ୍ଟି କରିଥିଲା । ରାତିରେ ବିଶିଷ୍ଟ ସୁଗମ ସଙ୍ଗୀତ ଗାୟିକା ଇରା ମହାନ୍ତି ଓ ତାଙ୍କ ଟିମ୍‌ ଦ୍ୱାରା ପରିବେଷିତ ସୁମଧୁର ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନୋରଞ୍ଜନରେ ବାନ୍ଧି ରଖିଥିଲା । ତାଙ୍କର ଗୀତର ସ୍ୱର ଓ ଭାବ ମହୋତ୍ସବ ପଡିଆକୁ ଏକ ସ୍ମରଣୀୟ ସନ୍ଧ୍ୟାରେ ପରିଣତ କରିଦେଇଥିଲା ।

Exit mobile version