ଜାନୁଆରୀ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲ୍‌ଏଫ) ବା କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ଦ୍ୱାଦଶ ସଂସ୍କରଣର ଘୋଷଣା କରିଛି ଯାହା ଆସନ୍ତା ଜାନୁଆରୀ ୮ରୁ ୧୧ ତାରିଖ ୨୦୨୬ ପର୍ଯ୍ୟନ୍ତ ମେ’ଫେୟାର, ଭୁବନେଶ୍ୱରଠାରେ ଆୟୋଜିତ ହେବ । ଓଡିଶାର ଐତିହାସିକ ମନ୍ଦିରମାଳିନୀ ସହରରେ ସ୍ଥାପିତ କେଏଲ୍‌ଏଫ ୨୦୨୬, ଏହି ୪ ଦିନର ଆଲୋଚନା, ବିତର୍କ ଓ ବିଚାରଧାରାର ଉତ୍ସବ ପାଇଁ ଭାରତ, ଦକ୍ଷିଣ ଏସିଆ, ଆମେରିକା, ୟୁରୋପ ଏବଂ ବିଶ୍ୱର କୋଣ ଅନୁକୋଣରୁ ଲେଖକ, ଅନୁବାଦକ, ଚିନ୍ତକ, କଳାକାର, ବିଧାୟକ, କୂଟନୀତିଜ୍ଞ, ନୀତିନିର୍ମାତା ଓ ସାଂସ୍କୃତିକ ନେତୃବୃନ୍ଦଙ୍କୁ ଏକାଠି କରିବ ।

୨୦୨୬ ସଂସ୍କରଣ ମହୋତ୍ସବର ଏପର୍ଯ୍ୟନ୍ତର ସବୁଠାରୁ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ, ଯେଉଁଥିରେ ୧୦୦ରୁ ଅଧିକ ଚିନ୍ତାପ୍ରବଣ ଅଧିବେଶନ, ପାଂଚଟି ସମାନ୍ତରାଳ ହଲରେ ସଂଗୃହିତ, ୫୦୦ରୁ ଅଧିକ ବକ୍ତା ଏବଂ ୨୦୦ କଳାକାର ସାମିଲ ଅଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ଓଡିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ନେତୃତ୍ୱରେ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬, ଏକ ବିଶାଳ ଉଦ୍‌ଘାଟନୀ ସମାରୋହ ସହିତ ଆରମ୍ଭ ହେବ । ଏହି ସମାରୋହରେ ବହୁ ବିଶିଷ୍ଟ ଅତିଥିମାନେ ଯୋଗ ଦେବେ, ସେମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ଗ୍ରାମାଂଚଳ ବିକାଶ,

ସାମାଜିକ ସୁରକ୍ଷା ଓ ସମୁଦାୟ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଡଃ ଉପଲୀ ପନ୍ନିଲାଗେ, ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓଡିଶାର ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ରାଜ୍ୟସଭା ସାଂସଦ ସୁଜିତ କୁମାର, ନେପାଳର ଜଣେ ପୂର୍ବତନ ସାଂସଦ ଡା. ବିନୋଦ ଚୌଧୁରୀ ଏବଂ ଜ୍ଞାନପୀଠ ପୁରସ୍କାର ବିଜେତା ଲେଖିକା ଡଃ ପ୍ରତିଭା ରାୟ ପ୍ରମୁଖ ସାମିଲ ଅଛନ୍ତି । ଏହି ସନ୍ଧ୍ୟାରେ କେଏଲଏଫ ଲିଟେରାରୀ ଆୱାର୍ଡର ବିତରଣ, ଲେଜିସ୍‌ଲେଟର୍‌ସ ଫର ଲିଟ୍‌ରେଚର୍‌ର ଉନ୍ମୋଚନ, ଡଃ ଚୌଧୁରୀଙ୍କ ସହିତ ଏକ ସ୍ୱତନ୍ତ୍ର ‘ମେଡ୍ ଇନ ନେପାଳ’ ଅଧିବେଶନ ଆଦି କାର୍ଯ୍ୟକ୍ରମ ରହିଛି,

ଏହାପରେ ମାଲିନୀ ଅୱସ୍ଥି ଓ ୟତିନ୍ଦ୍ର ମିଶ୍ରଙ୍କ ଦ୍ୱାରା ଏକ ସଙ୍ଗୀତମୟ ପ୍ରଦର୍ଶନ ମଧ୍ୟ ରହିଛି । କେଏଲ୍‌ଏଫ ୨୦୨୬ର ମୁଖ୍ୟ ବିଷୟବସ୍ତୁ ହେଉଛି:  “ଷ୍ଟୋରିଜ୍ ଦ୍ୟାଟ ସେପ୍ ହ୍ୟୁମାନିଟି: ଟ୍ରାନ୍ସଲେଟିଂ ୱାର୍ଲ୍ଡସ, ଟ୍ରାନ୍ସଫର୍‌ମିଙ୍ଗ ଫ୍ୟୁଚର୍ସ” । ଏହି ବିଷୟବସ୍ତୁ ଅନୁବାଦ, କାହାଣୀ ବର୍ଣ୍ଣନା ଓ ସାଂସ୍କୃତିକ ଆଦାନପ୍ରଦାନକୁ ମୁଖ୍ୟ କେନ୍ଦ୍ର ଭାବେ ଉପସ୍ଥାପନ କରୁଛି । ଏସମ୍ପର୍କରେ କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା କହିଛନ୍ତି, “ ଗତ ୧୨ ବର୍ଷ ମଧ୍ୟରେ କେଏଲ୍‌ଏଫ ଭାଷା ଓ ସାହିତ୍ୟ ଏବଂ ପିଢି ଓ ଭୌଗୋଳିକ କ୍ଷେତ୍ର ମଧ୍ୟରେ ଆଲୋଚନା ପାଇଁ ଏକ ଜୀବନ୍ତ ମଂଚରେ ପରିଣତ ହୋଇଛି ।

ଓଡିଶାର ସଭ୍ୟତା ନୀତି ସହ ଜଡିତ ଏବଂ ବିଶ୍ୱ ପାଇଁ ଉନ୍ମୁକ୍ତ କେଏଲ୍‌ଏଫ ୨୦୨୬ ଆମର ସେହି ବିଶ୍ୱାସକୁ ପ୍ରତିଫଳନ କରୁଛି ଯେ, କାହାଣୀ ମନୋରଞ୍ଜନଠାରୁ ଅଧିକ କିଛି ପ୍ରଦାନ କରିଥାଏ- ତାହା ସମାନୁଭୂତିକୁ ରୂପ ଦେଇଥାଏ, ବିଚାରଧାରାକୁ ପ୍ରଭାବିତ କରିଥାଏ ଏବଂ ସମାଜକୁ ଉତମ ଭବିଷ୍ୟତର କଳ୍ପନା କରିବାରେ ସାହାଯ୍ୟ କରିଥାଏ ।” ସେହିଭଳି କଳିଙ୍ଗ ସାହିତ୍ୟ ମହୋତ୍ସବର ସିଇଓ ଓ ପୃଷ୍ଠପୋଷକ ଅଶୋକ କୁମାର ବଳ କହିଛନ୍ତି, “କେଏଲ୍‌ଏଫ ୨୦୨୬ ସାହିତ୍ୟକୁ ମାନବଜାତିର ସବୁଠାରୁ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ଭାବେ ସୁଦୃଢ କରିଛି, ଯାହା ସ୍ମୃତିକୁ ସଂରକ୍ଷିତ ରଖିବା, ଶକ୍ତି ଉପରେ ପ୍ରଶ୍ନ ଉଠାଇବା ଓ ନୂତନତ୍ୱକୁ ପ୍ରେରିତ କରିବା ପାଇଁ ସକ୍ଷମ ଅଟେ ।

ଦ୍ରୁତ ଡିଜିଟାଲ ପରିବର୍ତନ ସମୟରେ ଏହି ମହୋତ୍ସବ ସେହି ସ୍ୱରଗୁଡିକୁ ଏକତ୍ରିତ କରୁଛି ଯାହା ଆମକୁ ମନେ ପକାଇ ଦେଉଛି ଯେ, କାହାଣୀ କାହିଁକି ସଭ୍ୟତାର କେନ୍ଦ୍ର ହୋଇରହିଛି ।” କେଏଲ୍‌ଏଫ ୨୦୨୬  ଏକ ବିସ୍ତୃତ ଶୃଙ୍ଖଳାର ବିଷୟବସ୍ତୁ ଯେପରିକି ଅନୁବାଦ, ଭାଷା ଓ ବିଶ୍ୱ ସାହିତ୍ୟ, ମହିଳା, ଲିଙ୍ଗ ଓ ସଶକ୍ତିକରଣ, ରାଜନୀତି, ଗଣତନ୍ତ୍ର ଓ ଲୋକନୀତି, ଟେକ୍ନୋଲୋଜି, ମିଡିଆ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ସିନେମା, ପ୍ରଦର୍ଶନ କଳା ଓ ଲୋକପ୍ରିୟ ସଂସ୍କୃତି, ବ୍ୟବସାୟ, ନେତୃତ୍ୱ ଓ ଅନୁଷ୍ଠାନ ଗଠନ, ଜଳବାୟୁ, ପରିବେଶ ବିଜ୍ଞାନ ଓ ସ୍ଥାୟିତ୍ୱ, ଭକ୍ତି,

ଭାରତୀୟ ଜ୍ଞାନ ବ୍ୟବସ୍ଥା ଓ ସଭ୍ୟତା ସମ୍ବନ୍ଧିତ ବିଚାରଧାରା, ବାୟୋଗ୍ରାଫି ବା ଜୀବନୀ ଏବଂ ଅଭିଜ୍ଞତା ଆଦି ଉପରେ ଆଲୋଚନାଚକ୍ରଗୁଡିକର ଆୟୋଜନ କରିବ । ସ୍ୱତନ୍ତ୍ର ଷ୍ଟ୍ରାଣ୍ଡଗୁଡିକରେ ହିନ୍ଦୀ ଓ ଓଡିଆ ସାହିତ୍ୟ, ଭାରତୀୟ ଭାଷା ଓ ଅନୁବାଦ, ମହିଳାଙ୍କ ଲେଖନୀ, ମାନସିକ ସ୍ୱାସ୍ଥ୍ୟ, ଜଳବାୟୁ ଓ ସ୍ଥାୟିତ୍ୱ, ପ୍ରକାଶନର ଭବିଷ୍ୟତ, ସୀମାପାର କବିତା, ମୁସୟିରା, କବି ସମ୍ମିଳନୀ ଏବଂ ଓଡିଶୀ ଛଉ ସମେତ ଶାସ୍ତ୍ରୀୟ ନୃତ୍ୟ ପରମ୍ପରାଗୁଡିକୁ ପାଳନ କରାଯିବ । କେଏଲ୍‌ଏଫ ୨୦୨୬ରେ କଳିଙ୍ଗ  ସାହିତ୍ୟ ସମ୍ମାନ, କଳିଙ୍ଗ ସାହିତ୍ୟ ସମ୍ମାନ (ଆନ୍ତର୍ଜାତୀୟ) ଓ କଳିଙ୍ଗ ସାହିତ୍ୟ ସମ୍ମାନ (ଯୁବ) ସହିତ ପେଙ୍ଗୁଇନ – କେଏଲ୍‌ଏଫ ବୁକ ରିଭ୍ୟୁ ପ୍ରୋଜେକ୍ଟ ଆୱାର୍ଡ ଓ ଇଂଟର-ସ୍କୁଲ ଡିବେଟ କମ୍ପିଟିଶନ ଆୱାର୍ଡ ପ୍ରଦାନ କରାଯିବ ।

ସାଂସ୍କୃତିକ ସନ୍ଧ୍ୟାରେ  କବିତା, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯିବ । ଏହି ମହୋତ୍ସବରେ ପ୍ରୀତି ସିନୟ, ବିକାଶ ସ୍ୱରୁପ, ରଞ୍ଜିତ ହୋସକୋଟେ, ରାମ ମାଧବ, ରାହୁଲ ପଣ୍ଡିତ, ଲକ୍ଷ୍ମୀ ପୁରୀ, ଦିବ୍ୟା ଦତ, ସୁଧୀର ମିଶ୍ର, ସଫିନା ହୁସୈନ, ଆନନ୍ଦ ନୀଲକାନ୍ତନ, ଡେଜି ରକ୍‌ୱେଲ, ମାଲିନୀ ଅୱସ୍ଥିଙ୍କ ଭଳି ବହୁ ପ୍ରତିଷ୍ଠିତ ବକ୍ତା ଓ ପ୍ୟାନେଲିଷ୍ଟମାନେ ଯୋଗ ଦେବେ । ଏଥିସହିତ ଭାରତ ଓ ବିଦେଶରୁ ପ୍ରଖ୍ୟାତ ହିନ୍ଦୀ ଓ ଓଡିଆ କବି, ବିଦ୍ୱାନ, ସମ୍ପାଦକ ଓ କୂଟନୀତିଜ୍ଞ, ପ୍ରଶାସକ ଓ ସାଂସ୍କୃତିକ ପ୍ରଦର୍ଶନକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ । ଛାତ୍ରଛାତ୍ରୀଙ୍କ ବ୍ୟାପକ ଅଂଶଗ୍ରହଣ ସହିତ କେଏଲଏଫ ୨୦୨୬ ଯୁବ ଲେଖକ ଓ ପାଠକମାନଙ୍କୁ ଆଲୋଚନା, ପୁସ୍ତକ ସମୀକ୍ଷା ଓ ଖୋଲା ମଂଚ ମାଧ୍ୟମରେ ମାର୍ଗଦର୍ଶନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବା ଜାରି ରଖିଛି, ଯାହା ପରବର୍ତୀ ପିଢିର ସାଂସ୍କୃତିକ ଓ ବୌଦ୍ଧିକ ଲିଡରମାନଙ୍କୁ ବିକଶିତ କରିବ ।

Exit mobile version