ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ
ଧାନ କିଣା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅଣଧାନ ଫସଲକୁ ପ୍ରୋତ୍ସାହନ ଦେବାକୁ ବୈଠକରେ ମତପ୍ରକାଶ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ । ବୈଠକର ଆଲୋଚନାରୁ ଜଣାପଡିଛି ଯେ ଆଜି ପର୍ଯ୍ୟନ୍ତ ରାଜ୍ୟର 12ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି ଏବଂ 17ଟି ଜିଲ୍ଲାରେ ଟୋକନ ପ୍ରଦାନ କରାଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । 10 ଜାନୁଆରୀ 2026 ମଧ୍ୟରେ ସବୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା 1,11,128 ଜଣ କୃଷକ ତାଙ୍କର 4,97,594 ମେଟ୍ରିକ୍ ଟନ୍ (MT) ଧାନ ବିକ୍ରୟ କରିପାରିଛନ୍ତି । ଏପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ 1056.08 କୋଟି ଟଙ୍କାର ଅର୍ଥପ୍ରଦାନ କରାଯାଇଛି । ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍ ଉପରେ ଆଞ୍ଚ୍ ନ ଆସିବ, ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
