୨୦ତମ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍‌ର ତୃତୀୟ ଦିନରେ ୨୭୦ ପ୍ରକାର ଖାଦ୍ୟ ପ୍ରଦର୍ଶନ କଲେ ସ୍କାଉଟ୍ ଗାଇଡ୍‌

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧା ବରୁଣେଇ ପାଶ୍ୱର୍ବର୍ତ୍ତୀ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ତାଲିମ କେନ୍ଦ୍ର ପରିସରରେ ରାଜ୍ୟ ଶାଖା ଆନୁକୂଲ୍ୟରେ ଆୟୋଜିତ ୨୦ତମ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍‌ର ଆଜି ଦିନଟି ଥିଲା ଦୁଃସାହସିକତା ଦିବସ । ପ୍ରାତଃ ୭.୩୦ଘଟିକା ସମୟରେ ଆରମ୍ଭ ହୋଇଯାଇଥିଲା ଶାରୀରିକ କୌଶଳ ପ୍ରଦର୍ଶନ ଯେଉଁଥିରେ କି ସ୍କାଉଟ ଓ ଗାଇଡ୍‌ମାନେ ସେମାନଙ୍କର ଶାରୀରିକ କଳା କୌଶଳର ପାରଦର୍ଶିତା ଦେଖାଇଥିଲେ ।

ପରେ ପରେ ଶିବିରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଃସାହସିକ ବେସ୍ ଗୁଡିକରେ ସ୍କାଉଟ ଗାଇଡ୍‌ମାନେ ବିଭିନ୍ନ ବେସ୍ ଗୁଡିକରେ ମଜା ନେଇଥିଲେ ଏବଂ ଯେଉଁମାନେ ସମସ୍ତ ବେସ୍ ସଂପୂର୍ଣ୍ଣ କରିସାରିବା ପରେ ଗୋଟିଏ ଗୋଟିଏ ଦୁଃସାହସିକତା ପ୍ରଦର୍ଶନ ବ୍ୟାଜ୍ ପାଉଥିଲେ । ଅପରାହ୍ନ ୩.୩୦ମିନିଟ୍ ସମୟରେ ପ୍ରତ୍ୟେକ ଜିଲ୍ଲାର ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ପ୍ରଦର୍ଶନୀ ଏବଂ ସ୍ୱକୀୟ କଳାକୃତିର ପ୍ରତିଯୋଗିତା ।

ପରେ ପରେ ସ୍କାଉଟ ଗାଇଡ୍‌ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିରେନ୍ଦ୍ର କୋରକରା, ଆଇଏଏସ୍‌, ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା, ଓଡିଶା ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପରିଡା, ସହକାରୀ ଶାରୀରିକ ନିର୍ଦ୍ଦେଶକ, ଓଡିଶା ଏବଂ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଉପସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଯୋଗଦେଇ ବିଭିନ୍ନ ଜିଲ୍ଲାର ସ୍କାଉଟ ଗାଇଡ୍ ପିଲାମାନେ ତିଆରି କରିଥିବା ଖାଦ୍ୟକୁ ବୁଲି ଦେଖିବା ସହିତ ପିଲାମାନେ ବହୁତ ପରିଶ୍ରମ କରି ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥିବାରୁ ସମସ୍ତଙ୍କୁ ପ୍ରଶସାଂ କରିଥିଲେ ।

ସନ୍ଧ୍ୟାରେ ଅତିଥିମାନେ ସ୍କାଉଟ ଗାଇଡ୍‌ମାନଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନନ୍ଦର ସହିତ ଦେଖିଥିଲେ ଏବଂ ଛୋଟ ଛୋଟ ପିଲାମାନେ ଏତେ ସଂଖ୍ୟକ ଭାଗନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟ ସଂଗଠନ କମିଶନର ତଥା ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version