ବ୍ୟଙ୍ଗ ବରିଷ୍ଠ ସମ୍ମାନ ସମାରୋହ-୨୦୨୫

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ହସ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ସାଧାରଣ ଜୀବନ ହେଉ କି କର୍ପୋରେଟ ଟେନସନ, ନାଟକ ହେଉ କି ସିନେମା, ଖବର କାଗଜ ହେଉ କି ଟିଭି, ସବୁ ଜାଗାରେ ହସର ମହତ୍ତ୍ୱ ରହିଛି । ହସ ମଣିଷକୁ ନିରୋଗ କରେ । ନାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ଼ ଟ୍ରଷ୍ଟ ତରଫରୁ ୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳାର କବି ରମାକାନ୍ତ ରଥ ମଞ୍ଚରେ ମଙ୍ଗଳବାରିଆ ସାହିତ୍ୟ ସଭାରେ ବ୍ୟଙ୍ଗ ବରିଷ୍ଠ ସମ୍ମାନ ସମାରୋହ- ୨୦୨୫ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଉଦ୍‌ଘାଟକ ଭାବେ ବରିଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ର, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ, କିଟ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ କବି ଡ. ରକ୍ଷକ ନାୟକ, ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଶାରଦା ପ୍ରସାଦ ମହାପାତ୍ର ଏବଂ ନିର୍ଦ୍ଦେଶକ ଡ. ସୌଭାଗ୍ୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ବିଶେଷ ପାରଦର୍ଶିତ ଲାଭ କରିଥିବା ବିଶିଷ୍ଟ ବ୍ୟଙ୍ଗକାର ଶ୍ରୀଯୁକ୍ତ ଉମାପଦ ବୋଷଙ୍କୁ ବ୍ୟଙ୍ଗ ବରିଷ୍ଠ ସମ୍ମାନ-୨୦୨୫ ଏବଂ ବ୍ୟଙ୍ଗଚିତ୍ର ବିଭାଗରେ ୨୦୨୫ ବର୍ଷ ପାଇଁ ଶ୍ରୀଯୁକ୍ତ ସୁନାରାମ ସିଂଙ୍କୁ ମାନପତ୍ର, ଉପଢୌକନ, ଚାରା ଏବଂ ନବଗୁଞ୍ଜର ଚିତ୍ର ଦେଇ ବ୍ୟଙ୍ଗ ବରିଷ୍ଠ ସମ୍ମାନ ପ୍ରଦାନ କରାଯାଇଥିଲା ।

ବ୍ୟଙ୍ଗଚିତ୍ର ବିଭାଗରେ ୨୦୨୩ ବର୍ଷ ପାଇଁ ଶ୍ରୀଯୁକ୍ତ ସୁଧାଂଶୁ ଦେଓ, ୨୦୨୪ ବର୍ଷ ପାଇଁ ଶିଳ୍ପୀ ଅଶୋକଙ୍କ ନାମ ଘୋଷଣା କରାଯାଇଛି । ‘ହସ ମହୌଷଧୀ!? ।’ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ରମାକାନ୍ତ ମିଶ୍ର, ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଫ୍ରାଙ୍କ୍‌ଲିନ୍ ଗ୍ରୁପର ଅଧ୍ୟକ୍ଷ ଡ. ଆଲୋକ କୁମାର କର, ବରିଷ୍ଠ ବ୍ୟଙ୍ଗ ଲେଖକ ବ୍ୟଙ୍ଗ ବରିଷ୍ଠ-୨୦୨୪ ଡ. ପୀତବାସ ରାଉତରାୟ, ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ କେ.କେ ରଥ ଏବଂ ସଂସ୍ଥାର ଅଧ୍ୟକ୍ଷ ଡ. ଶାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ପ୍ରଖ୍ୟାତ ହାସ୍ୟ କଳାକାର ଡଃ କୁଳାଙ୍ଗାର ଏବଂ ବିଭୂ ମିଶ୍ରଙ୍କ ହାସ୍ୟ ବ୍ୟଙ୍ଗ କବିତା ଯୁଗଳବନ୍ଦୀ ଉପସ୍ଥିତ ହାସ୍ୟପ୍ରେମୀମାନଙ୍କୁ ହସର ଖୋରାକ ଯୋଗାଇଥିଲା । କୁମାରୀ ଧରିତ୍ରୀ ସାହୁ, ବ୍ୟଙ୍ଗକବି ସୋନୁ ମହାନ୍ତି, ପ୍ରେମ୍‌ କୁମାର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version