୯୦ତମ ସଂସ୍କୃତି ଚର୍ଚ୍ଚା ସମାରୋହ ତା୨୩.୧୨.୨୦୨୫ରିଖ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର ବିଷୟ – ସଭ୍ୟତା ଓ ସଂସ୍କୃତି

 ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୯୦ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରାକ୍ତନ ପ୍ରଫେସର, ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଦର୍ଶନ ବିଭାଗର ମୁଖ୍ୟ ଡ. ଆଦିତ୍ୟ କୁମାର ମହାନ୍ତି । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।

ଉକ୍ତ ଆଲୋଚନା ଚକ୍ରରେ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଶ୍ରୀଯୁକ୍ତ ବଂଶୀଧର ଭୋଇ, ଶ୍ରୀଯୁକ୍ତ ନଟବର ମହାନ୍ତି, ଶ୍ରୀଯୁକ୍ତ ଗୌତମ ମହାନ୍ତି, ଶ୍ରୀଯୁକ୍ତ ମହେନ୍ଦ୍ର ମଲ୍ଲିକ, ଶ୍ରୀଯୁକ୍ତ ମାନବେନ୍ଦ୍ର ମିଶ୍ର, ଡ. ଗିରିଶ ପ୍ରସାଦ ସ୍ୱାଇଁ ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମ୍ପାନର ମୁଖ୍ୟ ବକ୍ତା ଡ. ଆଦିତ୍ୟ କୁମାର ମହାନ୍ତି କହିଥିଲେ ଯେ ‘ସମ୍‌’ ପ୍ରତ୍ୟୟ + ‘କୃ’ ଧାତୁ = ସଂସ୍କୃତି, ଯାହାର ଅର୍ଥ ଶିକ୍ଷା, ଜ୍ଞାନ, ସଭ୍ୟତା ଓ ସାମାଜିକତା ଆଦିରେ ନିରବଚ୍ଛିନ୍ନ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ । ଭାରତୀୟ ସଂସ୍କୃତି ଏକ ଗୁଢ଼ତର ସଭ୍ୟତାର ଗୁଣ ସୂତ୍ର, ତେଣୁ ସଂସ୍କୃତିର ଅର୍ଥହେଲା ଜ୍ଞାନଗତ ଉତ୍କର୍ଷ ସାଧନ ।

ଅଧୂନା ସଭ୍ୟତାର ଅଭିବୃଦ୍ଧି ଘଟୁଛି ସତ, କିନ୍ତୁ ସଂସ୍କୃତି ଦିନୁଦିନ ସଙ୍କୁଚିତ ହେବାରେ ଲାଗିଛି । ‘ସଭ୍ୟତା’ ଭୌତିକ ବିନାଶର ମାପକ ହେବା ବେଳେ ‘ସଂସ୍କୃତି’ ଆତ୍ମିକ ଉନ୍ନତିର ସୂଚକ । ସତ୍ୟ, ଅହିଂସା, ପ୍ରେମ, କରୁଣା, ସନ୍ତୋଷ ଓ ସଞ୍ଜମ ଆଦି ଶୁଭଗୁଣ ଗୁଡ଼ିକ ହେଉଛି ସଂସ୍କୃତିର ଚିହ୍ନ । ମହାମନିଷୀ ଗଣ ଯେଉଁ ସଭ୍ୟତା ଓ ସଂସ୍କୃତିକୁ ନେଇ ବିଶ୍ୱପାଇଁ ଆଲୋକ ବର୍ତ୍ତିକା ସାଜିବାର ସ୍ୱପ୍ନ ଦେଖିଥିଲେ ତାହା ଆଜି ଆମପାଇଁ ଇତିହାସ । ଭାରତ ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତାର ଦେଶ । କିନ୍ତୁ ପରିତାପର ବିଷୟ ଯେ ଆଧୁନିକ ସମାଜ ଆଜି ସାଂସ୍କୃତିକ ଅଧଃପତନର ଦ୍ୱାର ଦେଶରେ ଦଣ୍ଡାୟମାନ ।

ପ୍ରଗତି ଓ ପରିବର୍ତ୍ତନ ନାମରେ ଅଧୂନା ଆମ ଦେଶର ପ୍ରାଚୀନ ସଭ୍ୟତା ଓ ସଂସ୍କୃତି କ୍ରମେ ଲୁପ୍ତପ୍ରାୟ । ଏଥିପାଇଁ କାହାର ନିଘା ନାହିଁ । ପାଶ୍ଚାତ୍ୟ ସଂସ୍କୃତିକୁ ଆମେ ଉତ୍କର୍ଷର ମାନଦଣ୍ଡ ଭାବି ଭୁଲ ରାସ୍ତାରେ ଚାଲିଛୁ । ଭାରତୀୟ ସଂସ୍କୃତି ବିବିଧତାରେ ପରିପୂର୍ଣ୍ଣ  ‘ବହୁତ୍ୱରେ ଏକତ୍ୟ’  ଭାରତୀୟ ସଂସ୍କୃତିର ଆଧାର । ଧର୍ମୀୟ ମୂଲ୍ୟବୋଧ, ତତ୍ତ୍ୱନିଷ୍ଠ ସଂସ୍କୃତିର ଆନ୍ତରୀଣ ମୂଲ୍ୟବୋଧ ଭିତରେ ଧର୍ମ, ଦର୍ଶନ, ପରମ୍ପରା, ରୀତିନୀତି ତଥା କିଛି ପବିତ୍ର କର୍ମ ଉପରେ ପର୍ଯ୍ୟବେଶିତ । ଆଧ୍ୟାତ୍ମିକତା ଓ ଦୈନିକ ଜୀବନଚର୍ଯ୍ୟା ଉପରେ ଭାରତର ସଂସ୍କୃତି ପ୍ରାଧାନ୍ୟ ଆରୋପ କରିଥାଏ । ସମନ୍ୱୟଭାବ ଓ ସଂହତି ହେଲା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ସମସ୍ତଙ୍କୁ ନିଜରକରି ଭାରତୀୟ ସଂସ୍କୃତି ଅତିଶୟ ସ୍ୱତନ୍ତ୍ର ଓ ମହାନ ।

ବସ୍ତୁତଃ, ସଂସ୍କୃତିର ପରିସ୍ଫୁଟନ ତ୍ରିବେଟୀକ ସ୍ତର ଯଥା ଆଦିଭୌତିକ, ଆଦି ଦୈବିକ ଓ ଅଧ୍ୟାତ୍ମିକ ସାଧିତ ହୋଇ ମଣିଷର ପ୍ରକୃଷ୍ଠ ପରିଚିତି ବହନ କରେ । ମଣିଷ ବିଜ୍ଞ ହେଲେ ମଧ୍ୟ ସଂସ୍କୃତି ତା’ ର ଆଧାର । ଆଜିର ମଣିଷ ହୁଏତ ସଭ୍ୟ କିନ୍ତୁ ସେ ସଂସ୍କୃତି ମନସ୍କ ନୁହଁ । କେବଳ ମଣିଷ ନୁହେଁ, ସଂସ୍କୃତି ସମ୍ପନ୍ନ ମଣିଷ ଆଜିର ଆବଶ୍ୟକତା । ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।

Exit mobile version