ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ପାରମ୍ପରିକ “ଗୋଟିପୁଅ ସଂଗୀତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ଯ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ । ମାତ୍ର ପାରମ୍ପରିକ ସଂଗୀତ ପ୍ରତି ରୁଚି ରଖୁନଥୁବା ଶ୍ରୋତାମାନେ ଏହାର ଆନନ୍ଦ ଉଠାଇ ପାରନ୍ତି ନାହିଁ । ସେମାନଙ୍କୁ ପାରମ୍ପରିକ ସଂଗୀତ ପ୍ରତି ଆକର୍ଷିତ କରିବା ପାଇଁ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ପ୍ରତି ଶୀତ ଋତୁରେ ଦୁଇରୁ ତିନୋଟି କାର୍ଯ୍ୟକ୍ରମ ପାର୍କରେ ଆୟୋଜିତ ହୋଇଥାଏ ।
ଚଳିତ ଶୀତ ଋତୁରେ ମଧ୍ଯ ସର୍କଲର କାର୍ଯ୍ୟସୂଚୀ ଅନୁଯାୟୀ ୨୦ ଡିସେମ୍ବର ୨୦୨୫ ଏବଂ ୧୭ ଜାନୁଆରୀ ୨୦୨୬ ତାରିଖରେ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି । ଓଡିଶୀ ଶାସ୍ତ୍ରୀୟ ସଂଗୀତକୁ ଏକ ପୁରାତନ ଶାସ୍ତ୍ରୀୟ ଶୈଳୀ ସ୍ଵିକୃତୀ ମିଳିଛି ଯାହାର ଐତିହ୍ୟ ଶତାଦ୍ଦୀ ପୂର୍ବରୁ ଆରମ୍ଭ ହୋଇଛି । ସେଥିମଧ୍ୟରୁ ଏକ ପ୍ରମୁଖ ଶୈଳୀ ହେଉଛି ଗୋଟିପୁଅ ସଂଗୀତ । ଏହି ଶୈଳୀ ହଜାର ବର୍ଷ ପୂର୍ବରୁ ବିକଶିତ ହୋଇଥୁଲା ଏବଂ ଏହା ପରମ୍ପରା ଭାବେ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରରେ ଗାୟନ କରାଯାଉଛି ।
