କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍ର ନୂଆ ଆନେକ୍ସ ବିଲ୍ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନା ଯୋଗ୍ୟଯେ ସ୍ପେଶାଲ ସର୍କିଟ୍ ହାଉସ୍ ବିଲ୍ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ୪ ମହଲା ବିଶିଷ୍ଟ ଏହି ବିଲ୍ଡିଙ୍ଗଟି ପ୍ରାୟ ୩,୬୭୨ ବର୍ଗ ମିଟର ଅଞ୍ଚଳରେ ୧୮ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ ।

ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ର ନୂତନ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଯେଉଁ ମାନେ ଜମିଜମା କାମରେ ତହସିଲ ଓ ସବ୍-ରେଜିଷ୍ଟର ଅଫିସକୁ ଆସିବେ, ସେମାନେ ସୁବିଧାରେ ସମସ୍ତ ସେବା ପାଇପାରିବେ । ଏହାଦ୍ବାରା ଲୋକଙ୍କ ସମସ୍ୟା ଅଫିସରେ ସୁବିଧାରେ ସମାଧାନ ହୋଇପାରିବ, ସେମାନଙ୍କୁ ଆଉ ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ।
ଆମର ମୂଳଲକ୍ଷ୍ୟ ହେଉଛି ସବୁ କ୍ଷେତ୍ରରେ ଲୋକଙ୍କୁ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ଯୋଗାଇଦେବା l ଏହାଦ୍ବାରା ଲୋକଙ୍କ ଇଜ୍ ଅଫ୍ ଲିଭିଙ୍ଗ୍ ରେ (Ease of Living) ଉନ୍ନତି ଆସିପାରିବ। ଏହିଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଜାରିରହିବ ।ଜମିଜମା ସଂକ୍ରାନ୍ତରେ ତହସିଲ ଅଫିସ ଗୁଡିକ ଏକ One Stop Solution ଭଳି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ।