ମହାପୁରୁଷ ଶିଶୁ ଅନନ୍ତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶିଶୁ ଅନନ୍ତ ସ୍ମୃତି ସଂସଦ ର ମିଳିତ ଆୟୋଜନରେ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ମହାପୁରୁଷ ଶିଶୁ ଅନନ୍ତଙ୍କ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଶିଶୁ ମଠ ସ୍ଥିତ ସନ୍ଥଙ୍କର ସାଧନା ତଥା ସମାଧି ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଅଭିମନ୍ୟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସମ୍ପାଦିକା ତନୟା ଦାସ ଗୋସ୍ୱାମୀ ସ୍ଵାଗତ ଭାଷଣ ଦେଇଥିଲେ।

ମୁଖ୍ୟ ଅତିଥି ଭାବରେ ମା, ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଯୋଗ ଦେଇ କହିଥିଲେ ଯେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର। ପଞ୍ଚ ସଖାଙ୍କ ସହିତ ସେ ଲୀଳାଖେଳା କରୁଥିଲେ।ଆମେ ସ୍ୱାଧୀନ ହେଲେ ମଧ୍ୟ ଏବେବି ଆମକୁ ଇଂରେଜ ସଭ୍ୟତା ଛାଡି ନାହିଁ। ମୋବାଇଲ ଏବଂ ଇସ୍କନ୍ ଆମକୁ ପଥଭ୍ରଷ୍ଟ କରୁଛନ୍ତି।ଜଗନ୍ନାଥଙ୍କ ଇଚ୍ଛା ଆମକୁ ସମସ୍ତଙ୍କୁ ପଥରେ ଚାଲି ରଥ ଟାଣିବାକୁ ହେବ। ମୁଖ୍ୟ ବକ୍ତା ଡ୍ଡଃ ନିରଞ୍ଜନ ସାହୁ କହିଥିଲେ ଯେ ଯଦି ପଞ୍ଚ ସଖାଙ୍କ ଆବିର୍ଭାବ ହୋଇ ନଥାନ୍ତା ତେବେ ଆମର ଭାଷା ବଞ୍ଚି ପାରିନଥାନ୍ତା।

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡ଼ଃ ଅରବିନ୍ଦ ଢ଼ାଲି ପୀଠର ଉନ୍ନତି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଏଥିରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଗୁରୁପ୍ରସାଦ ପୃଷ୍ଟି ଶିଶୁ ଅନନ୍ତ ସାଧନା ସମ୍ପର୍କରେ ତଥ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବତନ ଅଧ୍ୟାପିକା ଡକ୍ଟର ପ୍ରତିଭା ମହାରଥିଙ୍କୁ ଶିଶୁ ଅନନ୍ତ ସମ୍ମାନ,ପୂର୍ବତନ ପ୍ରଶାସକ ଡ୍ ଅଖିଳ ବିହାରୀ ଓତାଙ୍କୁ ବାଲିପାଟଣା ଗୌରବ ସମ୍ମାନ,

କଣ୍ଠ ଶିଳ୍ପୀ ଗୀତାରାଣୀ ଦାସଙ୍କୁ ବାବା ମଧୁସୂଦନ ସମ୍ମାନ, ଦିଲ୍ଲୀପ ହାଲୀଙ୍କୁ ଚଳଚିତ୍ର ସମୀକ୍ଷକ ସମ୍ମାନ,ଡ୍ ଇତିରାନୀ ସାମନ୍ତଙ୍କୁ ବଡ଼ଭାଇ ନଦିୟା ବିହାରୀ ସମ୍ମାନ,କବି ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କୁ ଅବଦୁଲ ଓସିଦ ସ୍ମୃତି ସମ୍ମାନ ଓ ବସନ୍ତ କୁମାର୍ ଦାଶଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଡଃ ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିଲେ ଓ ଡ୍ ରଜନୀ ରଞ୍ଜନ ବିବରଣୀ ପାଠ କରିଥିଲେ।

ମଧ୍ୟାହ୍ନରେ ବହୁ ସାଧୁ ସନ୍ଥଙ୍କ ଉପସ୍ଥିତିରେ ସାଧୁ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଜନ୍ମଦିନ ଉତ୍ସଵ ଅବସରରେ ପ୍ରଭାତରୁ ସଙ୍କୀର୍ତ୍ତନ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବାଲିପାଟଣାର ସମସ୍ତ ସାମ୍ବାଦିକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବହୁ ଲେଖକ, କଳାକାର,ପ୍ରତିଭାବାନ ବ୍ୟକ୍ତିଙ୍କ ସହିତ ସ୍ଥାନୀୟ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପସଭାପତି ଭାବଗ୍ରାହୀ ଗୋଚ୍ଛାୟତଙ୍କ ସମେତ ସମିତିର ସଭ୍ୟ ସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version