ଓଡିଶା-ଆସାମ ବନ୍ଧୁତ୍ପୂର୍ଣ୍ଣ ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀ ଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମରେ ଆସାମ ଏବଂ ଓଡ଼ିଶାର ବରିଷ୍ଠ ମହିଳା କ୍ରିକେଟରଙ୍କ ମଧ୍ୟରେ ଏକ ରୋମାଞ୍ଚକର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ରେ ଓଡ଼ିଶା ମହିଳା କ୍ରିକେଟର ଟିମ ଆସାମ ମହିଳା କ୍ରିକେଟ ଟିମ କୁ ୫ ରନ୍ ରେ ହରାଇ କୃତିତ୍ୱ ହାସଲ କରିଥିଲା । ମହିଳା କ୍ରିକେଟରଙ୍କ ପ୍ରତିଭା ଓ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ଏହି ମ୍ୟାଚ୍ ଦୁଇ ରାଜ୍ୟ ମଧ୍ୟରେ ଥିବା ସୁସମ୍ପର୍କ ସୃଷ୍ଟି କରିଥିଲା ।

ଏଥିରେ ଓଡ଼ିଶା ର ପ୍ରଥମ ମହିଳା କୋଚ ରଶ୍ମିତା ମହାନ୍ତି କ୍ୟାପଟେନ ଭାବେ ମ୍ୟାଚ୍ ର ଦାୟିତ୍ଵ ଖୁବ୍ ସୁନ୍ଦର ଭାବେ ପରିଚାଳନା କରି ଥିଲେ । ପୁରୀ ରୁ ସୁନୀତା ମିଶ୍ର ,ରାଜଲକ୍ଷ୍ମୀ ଦାସ ଏବଂ ଭାଗ୍ୟଲକ୍ଷ୍ମୀ ଦାସ ଏହି ମ୍ୟାଚ୍ ରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ଥିଲେ । ବରିଷ୍ଠ କ୍ରିକେଟର ମଧୁସ୍ମିତା ମହାପାତ୍ର, ସୁଶ୍ରୀ ରାଜଲକ୍ଷ୍ମୀ ଦାସ ଏବଂ ସୁଶ୍ରୀ ସୁନୀତା ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ‘ଦ ବେଲ୍’ର ସମ୍ପାଦକ ସିଦ୍ଧାର୍ଥ ରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରବି ନାରାୟଣ ପ୍ରତିହାରୀ, ଥ୍ରୋ ବଲ୍ ସେକ୍ରେଟାରୀ ଜିତେନ୍ଦ୍ର ନାଥ ଦାସ, ହୋପ୍ ଇଜ ଲାଇଫ ର ଫାଉଣ୍ଡର ସୁରେଶ ନନ୍ଦ ଏବଂ ‘ଉତ୍ସବ’ର ପ୍ରତିଷ୍ଠାତା ରୁଚିମିତ୍ରା ଜଗଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜକ ଶ୍ରୀମତୀ ମହାପାତ୍ର କହିଥିଲେ ଯେ, “କ୍ରିକେଟ୍ ପ୍ରତି ଥିବା ଆମର ନିଶା ଏବଂ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆମେ ଆସାମ ଓ ଓଡ଼ିଶାର ବରିଷ୍ଠ ମହିଳା କ୍ରିକେଟରଙ୍କୁ ଏକାଠି କରିପାରିଥିବାରୁ ଅତ୍ୟନ୍ତ ଖୁସି ।”

ଉଭୟ ଦଳ ଅତ୍ୟନ୍ତ ଉତ୍ସାହର ସହ ଖେଳିଥିଲେ ଏବଂ ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । କ୍ରୀଡ଼ା କିପରି ଭାବରେ ଭାଇଚାରା ଓ ବନ୍ଧୁତ୍ୱ ସୃଷ୍ଟି କରିପାରେ, ଏହି ମ୍ୟାଚ୍ ତାହାର ଏକ ଜ୍ୱଳନ୍ତ ଉଦାହରଣ ଥିଲା । ଏହି କାର୍ଯ୍ୟକ୍ରମକୁ ‘ଇନର୍ ହ୍ୱିଲ୍ କ୍ଲବ ଅଫ ଶ୍ରୀକ୍ଷେତ୍ର ପୁରୀ’ ସହଯୋଗ କରିଥିଲା ଏବଂ ସଂଗଠନର ଅନେକ ସଦସ୍ୟା ଉପସ୍ଥିତ ରହି ମ୍ୟାଚ୍ ଉପଭୋଗ କରିଥିଲେ ।

Exit mobile version