ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଙ୍କୀ ବ୍ଳକରେ ଏକ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି, ରାଜସ୍ୱ, ଫୌଜଦାରୀ, ସ୍ୱାସ୍ଥ୍ୟ,
ଶିକ୍ଷା ପ୍ରଭୃତି ବିଭିନ୍ନ ସମସ୍ୟା ସଂପର୍କୀତ ମୋଟ୍ ୧୪୬ଟି ଅଭିଯୋଗର ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବିିନୀତ ଅଗ୍ରୱାଲ୍, ଅତିରିକ୍ତ ଜିଲ୍ଲାପାଳ ଶିବଟପ୍ପୋ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଶାନ୍ତ କୁମାର ନାୟକ,
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଶାନ୍ତ କୁମାର ହୋତା, ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଳକୃଷ୍ଣ କହଁର, ଡମପଡ଼ା ତହସିଲଦାର ବୈଶାଖି ଲେଙ୍କା, ବାଙ୍କୀ ଏନ୍.ଏ.ସି କାର୍ଯ୍ୟର୍ନିବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡର ସମସ୍ତ ଅଧିକାରୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ ।
