ଉପ ଜିଲ୍ଲାପାଳଙ୍କ ଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ମହାଦୁର୍ନୀତି ପାଇଁ ଫେରାଦ ହେଲେ – ସପକ୍ଷବାଦୀ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଗୁରୁବାର) ନୀଳଗିରି :- ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଗୋବର୍ଧନପୁର ଅଙ୍ଗନବାଡି କେନ୍ଦ୍ରକୁ ନେଇ ପୁଣି ବିବାଦ ଦେଖାଦେଇଛି । ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କ ବିଭିନ୍ନ ଅନିୟମିତତା ବିରୁଦ୍ଧରେ କିଛି ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ଅଙ୍ଗନବାଡି କର୍ମୀଙ୍କ ସପକ୍ଷରେ ସେମାନଙ୍କର ସପକ୍ଷବାଦୀ ମାନେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ଗୋବର୍ଧନପୁର ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ସହାୟିକା ସୁମିତ୍ରା ବେହେରା (ଯେକି କର୍ମୀ ଦାୟୀତ୍ୱରେ ଅଛନ୍ତି)ଙ୍କ ବିରୁଦ୍ଧରେ କିଛି ଗ୍ରାମବାସୀ ଉପଜିଲ୍ଲାଙ୍କ ଠାରେ ଅଭିଯୋଗ କରି ଥିଲେ । ଶୁଖିଲା ଖାଦ୍ୟ, ଅଣ୍ଡା, ପୋଷାକ ବଣ୍ଟନରେ ଅନିୟମିତତା ହେବା ନେଇ ସୂଚନା ଅଧିକାର ବଳରେ ତଥ୍ୟ ସହ ଔପଦା ସିଡ଼ିପିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ ।

ସେପଟେ ପୁଣି ଆଜି ଏହି ଅଙ୍ଗନବାଡିରେ କର୍ମୀଙ୍କ ସପକ୍ଷରେ ବାହାରିଛନ୍ତି ଅଭିଭାବକ, ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟା । କିଛି ଖଳ ପ୍ରକୃତିର ଲୋକ ଅଙ୍ଗନବାଡି କର୍ମୀଙ୍କୁ ଷଡ଼ଯନ୍ତ୍ର କରି ଫସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କଟାରେ ଫେରାଦ ହୋଇଛନ୍ତି । ସେହି ଗ୍ରାମର ଶନିଶ୍ଚର ବେହେରା ଜଣେ ଅସାମାଜିକ ଓ ଖଲୁଆ ପ୍ରକୃତିର ଯୁବକ ଅଭିଯୋଗ ଆଣି ପରୋକ୍ଷରେ ତାଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି । ଉକ୍ତ ଘଟଣାର ତଦନ୍ତ ନେଇ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାପାଳ, ସାଂସଦ, ବିଧାୟକ ଓ ଔପଦା ବିଡ଼ିଓଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ତେବେ ଅଭିଯୋଗକୁ ଖଣ୍ତନ କରିଛନ୍ତି ଶନିଶ୍ଚର ବେହେରା। ମୁଁ ଜଣେ ଶିକ୍ଷକ ହୋଇଥିବାବେଳେ ଏଭଳି ହିନ କାର୍ଯ୍ୟ ମୋ ଦ୍ୱାରା କରିବା ଅସମ୍ଭବ ।

ଅଙ୍ଗନବାଡିକୁ ନେଇ ଗାଁରେ ଦୀର୍ଘଦିନ ବିବାଦ ଲାଗିରହିଥିବାରୁ ଏସବୁ ମୁଁ ଉତ୍ସାହିତ କରୁଥିବା ଅଭିଯୋଗକାରୀ ସନ୍ଦେହ କରୁଛନ୍ତି । ମୋର ଚରିତ୍ର ଉପରେ ଆକ୍ଷେପ କରି କଣ ସେମାନେ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଘଟଣାର ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ତେବେ ଅଙ୍ଗନବାଡିରେ ଅନିୟମିତତା ଅଭିଯୋଗ ପରେ ଗାଁରେ ଦିନକୁ ଦିନ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ବେଳେ ଜିଲ୍ଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କୁହାଯାଇଛି । (ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version