ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବରିଷ୍ଠ ଆଇନଜୀବୀ, କବି, ଲେଖକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଚନ୍ଦ୍ର ବିଜୟୀ ମିଶ୍ର । ସଂପାନରେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ଉପଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀମତୀ ସଙ୍ଘମିତ୍ରା ବେହେରା । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।
ଉକ୍ତ ଆଲୋଚନା ଚକ୍ରରେ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ଡ. ଅନାମ ବେହେରା, ଡ. ସତ୍ୟନାରାୟଣ ମିଶ୍ର ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମ୍ପାନର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଚନ୍ଦ୍ର ବିଜୟୀ ମିଶ୍ର କହିଥିଲେ ଯେ ଓଡ଼ିଆ ମାନେ ହିଁ ମହାଭାରତୀୟ ଜାତୀୟ ଚେତନାର ଜନ୍ମଦାତା । ଓଡିଆ ମାନେ ହିଁ ସମନ୍ୱୟ-ସଦ୍ଭାବନା-ସଂପ୍ରୀତି ଓ ଶାନ୍ତିର ବାର୍ତ୍ତା ଦେଇଆସିଛନ୍ତି । ଓଡିଆ ମାନେ ମୁକ୍ତିକାମୀ ଚେତନାର ଅଗ୍ରଦୂତ ଓ ମହାମାନବୀୟ ଚିନ୍ତା-ଚେତନାରେ ଜଗତକୁ ଉଦବୁଦ୍ଧ କରିଆସିଛନ୍ତି । ଶିକ୍ଷା ଓ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଓ ବିଶ୍ୱକୁ ଶୁଣାଇଥିଲେ ଅମୃତର ବାର୍ତ୍ତା ।
