ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା – ଜଣେ ମୃତ, ୩ ଗୁରୁତର ହିଞ୍ଜିଳିକାଟୁ,

ଓଡ଼ିଶା ତାଜା ନ୍ୟୁଜ୍‌ (୧୭ ସେପ୍ଟେମ୍ବର ଗୁରୁବାର) ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଗୁରୁବାର ସକାଳେ ସ୍କୁଟି ସହ ବାଇକ୍‌ର ମୁହାଁମୁହିଁ ଧକ୍କା ଘଟିବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଗୋପାଳପୁର ଥାନା ଗଡ଼ଗାଁର ମହେଶ ଦାସ(୧୮) ଓ ଆହତ ମାନେ ହେଲେ ଗଡ଼ଗାଁର ବିକ୍ରମ ଦାସ (୨୦), ପୋଲସରା ଥାନା କଣ୍ଡୁରୁ ଗ୍ରାମର ଦେବରାଜ ବେହେରା(୨୨) ଓ ପୋଲସରାର ଅଶୋକ ବେହେରା(୩୦) ।

ପ୍ରକାଶ ଯେ, ଗଡ଼ଗାଁର ଦୁଇ ସର୍ମ୍ପକୀୟ ଭାଇ ମହେଶ ଓ ବିକ୍ରମ ବଜାଜ ପଲସର ବାଇକ୍ (ଓଡ଼ି୦୭ଏଡ଼ି ୩୪୯୩) ଗ୍ରାମରୁ ମାମୁଁ ଘର ହିଞ୍ଜିଳି ଥାନା କାଞ୍ଜିିଆମା ଗ୍ରାମକୁ ଯାଉଥିବା ବେଳେ ପୋଲସରା ଅଂଚଳରୁ ସ୍କୁଟି (ଓଡ଼ି୦୭ୟୁ ୬୩୧୦) ଯୋଗେ ଦେବରାଜ ଓ ଅଶୋକ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଆସୁଥିବା ବେଳେ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ସ୍କୁଟି ସହ ବାଇକ୍‌ର ମୁହାଁମୁହିଁ ଧକ୍କା ଘଟିଥିଲା । ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲ ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ପ୍ରଥମେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି । ପୁଲିସ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । (ହିଞ୍ଜିଳିକାଟୁ /ଶୁସାନ୍ତ ପ୍ରଧାନ)

Exit mobile version