ଭୁବନେଶ୍ୱରଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନସୋର୍ଟିୟମ୍ ଅଫ୍ ଆକ୍ରେଡିଟେଡ୍ ହେଲଥକେୟାର ଅର୍ଗାନାଇଜେସନ୍ସ (କାହୋ) ଦ୍ୱାରା ଆୟୋଜିତ ଭାରତର ପ୍ରିମିୟର ହେଲ୍ଥକେୟାର ଟେକ୍ନୋଲୋଜି ଇନୋଭେସନ୍ କନକ୍ଲେଭ୍– କାହୋଟେକ୍ର ଦଶମ ସଂସ୍କରଣ ରବିବାର କିମ୍ସରେ ଉଦଯାପିତ ହୋଇ ଯାଇଛି। କିମସ ଓ କାହୋ ମିଳିତ ଆନୁକୁଲ୍ୟରେ “ଟେକ୍ନୋଲୋଜି ଆଣ୍ଡ ଇମ୍ପାକ୍ଟ: ସଲଭିଂ ଚ୍ୟାଲେଞ୍ଜେସ ଇନ ହେଲ୍ଥକେୟାର’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଶିଳ୍ପ, ବୃତ୍ତିଗତ, ନବସର୍ଜନାକାରୀ, ଷ୍ଟାର୍ଟଅପ୍ ଓ ଛାତ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ଓଡ଼ିଶାକୁ ପ୍ରଥମ ଥର ଲାଗି ଏହି କାର୍ଯ୍ୟକ୍ରମ କିମ୍ସ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ବର୍ଷ ବର୍ଷ ଧରି କାହୋଟେକ୍, କାହୋର ସ୍ୱାସ୍ଥ୍ୟ ପ୍ରଯୁକ୍ତି ଫୋରମର ପ୍ରମୁଖ ପ୍ଲାଟଫର୍ମ ଭାବରେ ରହି ଆସିଛି। ଏହା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ପ୍ରଯୁକ୍ତିବିଦ୍ୟା ଉଦ୍ଭାବକ, ନୀତି ନିର୍ଦ୍ଧାରକ, ଉଦ୍ୟୋଗୀ, ନିବେଶକ ଏବଂ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିଛି। ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ମଧ୍ୟରେ ଅଭିବୃଦ୍ଧି ଓ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ସହଯୋଗ, ନବସର୍ଜନା ଓ ପ୍ରଯୁକ୍ତିବିଦ୍ୟା ଗ୍ରହଣକୁ ପ୍ରୋତ୍ସାହିତ କରିଆସୁଛି। କାହୋଟେକ୍ ୨୦୨୫ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରାର ଆଦାନପ୍ରଦାନ, ସହଯୋଗୀ ସୁଯୋଗର ଆବିଷ୍କାର ଏବଂ ପ୍ରଭାବଶାଳୀ ନବସର୍ଜନା ପାଇଁ ଏକ ଆଦର୍ଶ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଥିଲେ।
