ନୂଆଁଖାଇ ଭେଟଘାଟ 2025 ଅବସରରେ କଳାକାର ସମାବେଶ

ବଲାଙ୍ଗୀର  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗୀର ତରଫରୁ ନୂଆଁଖାଇ ଭେଟଘାଟ 2025 ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଅନୁଷ୍ଠିତ ଏହି ଭେଟଘାଟରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ କଳାକାର ସମାବେଶରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ଚେୟାରମ୍ୟାନ ବିଧୁଭୂଷଣ ସିଂହ ଦେଓ ।ସାଧାରଣ ସମ୍ପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ନୂଆଁଖାଇ ଭେଟଘାଟ ଅବସରରେ କଳାକାର ସମାବେଶ ସମ୍ପର୍କରେ ସୂଚନା ଦେଇଥିଲେ । ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀ ନିଜର ଅଭିଭାଷଣରେ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କଳାକାର ନିଜର ଭାବ ଆଦାନ ପ୍ରଦାନ କରିବା ସହିତ କଳା ପ୍ରଦର୍ଶନ କରିଥିଲେ । ଜିଲ୍ଲା କଳାକାର ସଙ୍ଘର ଉପ ସଭାପତି ସୁଦାମ ବିଶି,ବର୍ଷିଆନ କିର୍ତ୍ତନ ଗୁରୁ ପରମାନନ୍ଦ ମାଝୀ ଓ ବରିଷ୍ଠ ପାଲା ଗୁରୁ ରସରାଜ ବୁଡେକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଅପରାହ୍ନ ଅଧିବେଶନରେ ବରେଣ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର,ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଯୋଗ ଦେଇଥିଲେ ।  ଏହା ପରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ପ୍ରେରିତ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ କଳା କେନ୍ଦ୍ର,ବଲାଙ୍ଗୀରର କଳାକାରମାନେ ଲୋକ ସଙ୍ଗୀତ ପରିବେଷଣ କରିଥିଲେ ।  କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶ୍ରୀରାମ କଲଚରାଲ ଗ୍ରୁପର ସଭାପତି ମନ୍ମୟ ତ୍ରିପାଠୀ,ଚିଙ୍କୁ ପ୍ରଧାନ ,ସତ୍ୟ ନାରାୟଣ ଗହୀର,ପ୍ରସନ୍ନ ଗହୀର ,ହାଡ଼ିବନ୍ଧୁ ତ୍ରିପାଠୀ ଓ ଶ୍ରୀମୟ ତ୍ରିପାଠୀ । ଆଖପାଖ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Exit mobile version