
ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :– ଆସନ୍ତା ୧୭ ତାରିଖ ଦିନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାୟତଃ ଗତ ୧୩ ତାରିଖରେ ସୃଷ୍ଟ ଲଘୁଚାପ ସ୍ଥାନରେ ସୃଷ୍ଟି ହେବ । କିନ୍ତୁ ଏହା ସ୍ଥଳ ଭାଗ ଆଡ଼କୁ ନଯାଇ ପୂର୍ବ ଆଡ଼କୁ ମୁହାଁଇବ । ୧୯ ତାରିଖ ଦିନ ଆନ୍ଧ୍ର ଉପକୂଳର ଦୂରରେ ଲଘୁଚାପରେ ପରିଣତ ହେବ । ଆହୁରି ମଧ୍ୟ ଅନୁମାନ କରାଯାଉଛି ଯେ, ସେତେବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ମିଆଁମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ପରେ ଲଘୁଚାପରେ ପରିଣତ ହେବ ।
ସମ୍ଭବତଃ ଆନ୍ଧ୍ର ଉପକୂଳରୁ ସୃଷ୍ଟି ହୋଇଥିବା ଲଘୁଚାପଟି ମିଆଁମାର ଉପକୂଳରେ ହୋଇଥିବା ଲଘୁଚାପ ସହ ମିଶିଯିବ । ଏହାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଆଡ଼କୁ ମୁହାଁଇବ । ସମ୍ଭବତଃ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହାଦ୍ବାରା ମିଆଁମାର୍, ବାଂଲାଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଓଡ଼ିଶାରେ ୨୧ ତାରିଖଠାରୁ ବର୍ଷା ଆରମ୍ଭ ହେବ ଓ ପ୍ରବଳ ବର୍ଷାର ସମ୍ଭାବନା ଅଛି ।
