ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ୧୬ଟି ସାଇବର ରଥ ନିୟମିତ ଭାବେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଖଚିତ LED ପ୍ୟାନେଲ୍ ରେ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରୁଛି ।
ଏହା ସହ ସେମାନଙ୍କ ମନରେ ସାଇବର ସୁରକ୍ଷା ପ୍ରତି ସଚେତନତା ଏବଂ ଆଗ୍ରହ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ରାଲି, ସେମିନାର, କର୍ମଶାଳା ଏବଂ ସାଧାରଣ ସଭା ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ୧୩ ଲକ୍ଷରୁ ଅଧିକ ସାଧାରଣ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଇବର ସୁରକ୍ଷା କ୍ଷେତ୍ରରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ଅଭିଯାନରେ ଓଡ଼ିଶାର ୩୩ଟି ପୋଲିସ୍ ଜିଲ୍ଲା ସକ୍ରିୟ ଭାବେ ସାମିଲ ହୋଇ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିଭିନ୍ନ ଜିଲ୍ଲାମାନଙ୍କରେ ବହୁ ସଂଖ୍ୟାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସଚେତନତା କର୍ମଶାଳା ଆୟୋଜନ କରାଯାଇଛି । ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସାଇବର ସଚେତନତା ସମ୍ବଳିତ ପାମ୍ପଲେଟ୍ ବଣ୍ଟନ କରାଯିବା ସହ LED ପ୍ୟାନେଲ୍ ମାଧ୍ୟମରେ ସାଇବର ସୁରକ୍ଷା ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହେଉଛି । ବିଭିନ୍ନ ଜିଲ୍ଲା ପୋଲିସ ତରଫରୁ ସଚେତନତା ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଯୁବକ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ବଢ଼ାଇବା ପାଇଁ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ବିତର୍କ, କୁଇଜ୍ ଏବଂ ରିଲ୍ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହା ସହିତ, ସାଇବର୍ ସ୍ୱଚ୍ଛତା ଏବଂ ସୁରକ୍ଷିତ ଡିଜିଟାଲ୍ ବ୍ୟବହାର ଉପରେ ଶିକ୍ଷାନୁଷ୍ଠାନ ଏବଂ ସର୍ବସାଧାରଣ ସ୍ଥାନରେ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ କରାଯାଉଛି । ଏହାବ୍ୟତୀତ ଅନଲାଇନ ମାଧ୍ୟମରେ ସେକ୍ସଟର୍ସନ ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଭିଡିଓ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯାଇ ସଚେତନତାର ବାର୍ତ୍ତା ଦିଆଯାଉଛି । ସ୍ଥାନୀୟ କଳାକାରଙ୍କ ସହଯୋଗରେ ଷ୍ଟାଣ୍ଡ ଅପ କମେଡି, ପଥପ୍ରାନ୍ତ ନାଟକ, Walkathan ଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାକୁ ଦର୍ଶକ ମାନେ ଆଗ୍ରହର ସହ ଉପଭୋଗ କରିବା ସହ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ହେଉଥିବା ପରିଲକ୍ଷିତ ହେଉଛି । ଏହି ସାଇବର ସୁରକ୍ଷା ଅଭିଯାନରେ ସାଧାରଣ ନାଗରିକ ସାମିଲ ହୋଇ ସାଇବର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ ପୋଲିସର ଭୂମିକାକୁ ପ୍ରସଂଶା କରିଥିଲେ ।
