ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଜି ଠାରୁ କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ରଣପୁର ଚକାଶିଳାକ୍ଷେତ୍ର ରେ ପଞ୍ଚୁକ ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି । ରଣପୁର ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପାଇଁ ହବିଷିଆଳିଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

ବିଶ୍ୱାସ ରହିଛି ଶ୍ରୀ ଜଗନ୍ନାଥ ଙ୍କୁ ଏହି ଧରମ ମାସରେ ଦର୍ଶନ କଲେ ଅନେକ ପୂଣ୍ୟ ଅର୍ଜନ ହୋଇଥାଏ ଯେଉଁଥିପାଇଁ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଏବଂ ହବିଷିଆଳି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ କାର୍ତ୍ତିକ ମାସରେ ଶୁକ୍ଳ ପକ୍ଷର ପଞ୍ଚୁକ ପ୍ରଥମ ଦିନ ବଡ ଏକାଦଶୀ ବ୍ରତ ପଡ଼ିଥିବାରୁ ଜଗନ୍ନାଥ ମନ୍ଦିରରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ଶ୍ରୀ ଜଗନ୍ନାଥ ଙ୍କ ସକାଳ ଧୂପ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଙ୍କ ସୁଅ ଛୁଟିଥିଲା । ପରେ ଶ୍ରୀ ଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ଏକାଦଶୀର ସ୍ଵତନ୍ତ୍ର ଦର୍ଶନ କରିଥିଲେ । ପ୍ରତି ବର୍ଷ ଠାରୁ ଚଳିତ ବର୍ଷ ର ସାଧାରଣ ଦର୍ଶନ ରେ ଅତ୍ୟନ୍ତ ଭିଡ ପରିଲକ୍ଷିତ ହୋଇଥିଲେ ହେଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଥିଲା ।
ଅନେକ ଭକ୍ତ ଙ୍କ ସମାଗମକୁ ନିୟନ୍ତ୍ରଣ କରିବା ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପବିତ୍ର ଶୁକ୍ଳ ପକ୍ଷର ଏକାଦଶୀ ତିଥି ଓ ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ମନ୍ଦିର ପ୍ରଶାସନ ତରଫରୁ ପ୍ରଭୁଙ୍କ ନାମ ସଂକୀର୍ତ୍ତନ କରାଯାଇଥିଲା । ଉକ୍ତ କାର୍ଯକ୍ରମ ରେ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ ।
ଅହରହ ନାମ ସଙ୍କୀର୍ତ୍ତନ ଭକ୍ତଙ୍କ ମନରେ ଏକ ଭକ୍ତି ଭାବନା ଜାଗ୍ରତ କରୁଥିବା ବେଳେ ସମସ୍ତଙ୍କୁ ଏକ ଭକ୍ତି ଭାବଧାରାରେ ମନ୍ତ୍ର ମୁଗ୍ଧ କରିଦେଇଥିବା ଦେଖିବାକୁ ମିଳିଥିଲା । ତେବେ ସକାଳ ଧୂପ ଠାରୁ ସଂଧ୍ୟା ଧୂପ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀ ମାନେ ନାମ ସଙ୍କୀର୍ତ୍ତନ କରି ମନ୍ଦିର ପରିକ୍ରମା କରୁଥିବା ଦେଖିବାକୁ ମିଳିଥିଲା ।
ଛୋଟ ଛୋଟ ଶିଶୁ ରାଧା କୃଷ୍ଣ ବଳରାମ ବେଶରେ ସଜ୍ଜିତ ହୋଇ ମନ୍ଦିରର ଚତୁଃପାର୍ଶ୍ଵ ରେ ନୃତ୍ୟ ପରିବେଷଣ କରିଥିଲେ । ଆଜିର ବଡ଼ ଏକାଦଶୀ ତିଥିରେ ସନ୍ଧ୍ୟା ଧୂପ ପରେ ପତିତପାବନଙ୍କ ଠାରେ ମହାଦୀପ ଉଠିଥିଲା । ଭକ୍ତ ମାନେ ମହାଦୀପ ଦର୍ଶନ କରିଥିଲେ ।
