ଇନ୍ଦିରା ଆବାସ ଅନୁମୋଦନକୁ ନେଇ ମାଡ଼ ମାରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୱାର୍ଡ ମେମ୍ବର

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ରାମଗିରି ଥାନା ଅଂଚଳରେ ୨୮-୦୯-୨୦୨୪ ରିଖ ରାମଗିରି ଗ୍ରାମ ନିବାସୀ ସୁଦାମ ଚରଣ ପାଇକଙ୍କ ପୁଅ ଶିବ ପାଇକ କୁରେଇଶୁଣି ମନ୍ଦିରରୁ ନିଜ ଘରକୁ ଆସୁଥିବା ବାଟରେ ୱାର୍ଡ ମେମ୍ବର ରବି ପାଇକଙ୍କୁ ଦେଖି ଇନ୍ଦିରା ଆବାସ ଅନୁମୋଦନ କଥା ପଚାରିଥିଲେ, ସେହି କଥାକୁ କେନ୍ଦ୍ରକରି ରବି ଏକ ଧାରୁଆ ଅସ୍ତ୍ରରେ ଶିବଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ।

ଏଥିରେ ରବିଙ୍କୁ ତାଙ୍କ ଭଉଣୀ ଅଞ୍ଜଳି ପାଇକ ଓ ଭାଇ ସୂର୍ଯ୍ୟ ପାଇକ ସାହାଯ୍ୟ କରିଥିଲେ, ଯାହା ଫଳରେ ଶିବ ପାଇକ ଗୁରୁତର ଭାବେ କ୍ଷତାକ୍ତ ହୋଇଥିଲେ। ପରେ ସନ୍ତୋଷ କାର୍ଜି ଓ ତନୁ ପାଇକ ଆସିବା ଦେଖି ଉପରୋକ୍ତ ତିନି ଅଭିଯୁକ୍ତ ତାଙ୍କୁ ଜୀବନରେ ମାରିବା ନେଇ ଧମକ ଦେଇ ସେ ଜାଗାରୁ ଚାଲିଯାଇଥିଲେ। ନିଜ ପୁଅ ତଥା ପରିବାର ପ୍ରତି ବିପଦ ଥିବା କଥା ଭାବି ଏତଲାକାରି ମାମଲା ନମ୍ବର ୪୨ ରେ ଏକ ମାମଲା ସେ ସମୟରେ ରାମଗିରି ଥାନାରେ ଉପରୋକ୍ତ ତିନି ଅଭିଯୁକ୍ତଙ୍କ ନାମରେ ରୁଜୁ କରିଥିଲେ ଓ ତତ୍କାଳୀନ ଏ.ଏସ.ଆଇ. କେ. ଶଙ୍କର ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।

୭ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସିନିୟର ସିଭିଲ ଜଜ ତଥା ଜେଏମ୍ଏଫସି ସୌଦାମିନୀ ବିଶ୍ୱାଳ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨)ରେ ଉକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Exit mobile version