ସତର୍କତା ସଚେତନତା ସପ୍ତାହରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ କର୍ମଚାରୀଙ୍କ ଶପଥ ଗ୍ରହଣ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସତର୍କତା ସଚେତନତା ସପ୍ତାହ–୨୦୨୫ ଅବସରରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅଲୋକ ତ୍ରିପାଠୀ ଆଜି ପୂର୍ବାହ୍ନରେ ରେଳମଣ୍ଡଳ କାର୍ଯ୍ୟାଳୟରେ ସତର୍କତା ଶପଥ ସମ୍ବନ୍ଧରେ ରେଳ କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ଦ୍ୱାରା ରେଳ କର୍ମଚାରୀ ମାନେ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତି ପାଇଁ ସତ୍ୟନିଷ୍ଠା, ପାରଦର୍ଶିତା ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟପଦ୍ଧତି ପାଳନ କରି ଦୁର୍ନୀତିକୁ ମୂଳରୁ ଲୋପ କରିବା ନିମନ୍ତେ ଅତୁଟ ସଙ୍କଳ୍ପ ନେଇଥିଲେ ।

୨୭ ଅକ୍ଟୋବରରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ଅନୁଷ୍ଠିତ ହେଉଅଛି, ଏବଂ ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ସତର୍କତା  ଆମର ସଂଯୁକ୍ତ ଦାୟିତ୍ୱ” ଅନୁସାରେ ପାଳନ କରାଯାଉଅଛି, ଯାହାକି ସମସ୍ତଙ୍କ ମଧ୍ୟରେ ନୈତିକତା ଓ ଏକତାର ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଛି । ଏହି ସପ୍ତାହ ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ରେଳ କର୍ମଚାରୀ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ୟକ୍ରମ ଆୟୋଜନ ହାତକୁ ନେଇଛି ।

ବିଭିନ୍ନ ରେଳ କାର୍ଯ୍ୟାଳୟ, ଷ୍ଟେସନ ଓ ଡିପୋ ଗୁଡିରେ ସେମିନାର, ୱର୍କଶପ୍, ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଓ ଜାଗୃକତା ଅଧିବେଶନ ଆୟୋଜନ ହେଉଛି । ଏହା ସହିତ, ବ୍ୟାନର, ପୋଷ୍ଟର, ପଥ ପ୍ରାନ୍ତ ନାଟକ ଓ ନାଟ୍ୟ ପ୍ରଦର୍ଶନ ମାଧ୍ୟମରେ ରେଳ କର୍ମଚାରୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ସତର୍କତା ସଚେତନତା ସୃଷ୍ଟି କରାଯାଉଛି ।

ଏହି ଶପଥ ଗ୍ରହଣ କାର୍ୟକ୍ରମରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମାନେ,ଶାଖା ଅଧିକାରୀ ମାନେ,ବରିଷ୍ଠ କର୍ମଚାରୀ ଓ ରେଳ କର୍ମଚାରୀ ମାନେ ଯୋଗଦେଇଥିଲେ । ଶ୍ରୀ ଅଲୋକ ତ୍ରିପାଠୀ ଏହି ଅବସରରେ କହିଥିଲେ ଯେ, ସତର୍କତା କେବଳ କିଛି ବିଭାଗର ଦାୟିତ୍ୱ ନୁହେଁ ବରଂ ଏହା ସମସ୍ତ କର୍ମଚାରୀଙ୍କର ସାଧାରଣ ଦାୟିତ୍ୱ ଯାହା ଦ୍ୱାରା ରେଳ ବ୍ୟବସ୍ଥାରେ ପାରଦର୍ଶିତା ଓ ଦୁର୍ନୀତି ମୁକ୍ତ ଶାସନ ସୁନିଶ୍ଚିତ ହେବ ।

Exit mobile version