ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଡିସେମ୍ବର ୧୪ ରୁ ୧୮ ପାଞ୍ଚ ଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବ । ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ, ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍,ବନଖଣ୍ଡ ଅଧିକାରୀ ସାଇ କିରଣ,
ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ,ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଓ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର ଉପସ୍ଥିତ ଥିଲେ । ପାରମ୍ପରିକ ଲୋକ କଳା ଓ ଲୋକ ନୃତ୍ୟ, ପାରମ୍ପରିକ ଜନଜାତି ଭାଷା ସଂସ୍କୃତି ପରମ୍ପରାକୁ ବଜାୟ ରଖି ଏହି ମହୋତ୍ସବକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଛନ୍ତି । ଏହି ମହୋତ୍ସବକୁ ଆଡମ୍ବର ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

