ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜ୍ୟୋତିଷ ଗଣନା ଏବଂ ଶାସ୍ତ୍ରୀୟମତେ ଆସନ୍ତା ୨୧ ତାରିଖ ଦୀପାବଳୀ ପାଳନୀୟ ବୋଲି ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ସଭାପତି ରଘୁନାଥ ଦାଶ କହିଛନ୍ତି । ଶନିବାର ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ ତଥ୍ୟ, ପ୍ରମାଣ ଓ ଯୁକ୍ତି ଅନୁସାରେ କହିଛନ୍ତି ଯେ, ୨୧ ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଘଟିକା ୫୫ ମିନିଟ୍ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଛି ।
୨୦ ତାରିଖ ସୋମବାର ଦିବା ୩ଘଟିକା ୪୫ ମିନିଟ୍ ଠାରୁ କାର୍ତ୍ତିକ ଅମାବାସ୍ୟା ତିଥି ଆରମ୍ଭ ହେବ । ୨୧ ତାରିଖ ସନ୍ଧ୍ୟା ୫ ଘଟିକା ୫୫ ମିନିଟ୍ ପର୍ଯ୍ୟନ୍ତ ରହୁଥିବାରୁ ସେହିଦିନ ଅର୍ଥାତ୍ ମଙ୍ଗଳବାର ଦୀପାବଳୀ ତଥା ପୟା ଶ୍ରାଦ୍ଧ ଓ ବଡବଡୁଆ ଡକା ହେବ । ଅକ୍ଟୋବର ୨୧ ତାରିଖ ଅମାବାସ୍ୟା ୩ ପ୍ରହର (ପ୍ରାୟତଃ ୯ ଘଣ୍ଟା)ରୁ ଉର୍ଦ୍ଧ୍ୱ ରହୁଅଛି ।
ଏଥିସହିତ ପ୍ରଦୋଷ କାଳକୁ ରହୁଥିବାରୁ ଦୀପାବଳୀ, ପୟାଶ୍ରାଦ୍ଧ ଇଷ୍ଟ ଦେବାଦେବୀ ପୂଜା, ଶ୍ରୀଲକ୍ଷ୍ମୀ ଗଣେଶ ପୂଜା ସହିତ ବଡବଡୁଆ ଡକା ଇତ୍ୟାଦି ସର୍ବସମ୍ମତ ଓ ପାଳନୀୟ ବୋଲି ଶ୍ରୀ ଦାଶ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ସମ୍ପାଦକ ନିମାଇଁ ଚରଣ ଦାଶ, ପଣ୍ଡିତ ଅଚ୍ୟୁତାନନ୍ଦ ନାୟକ, ପଣ୍ଡିତ ପ୍ରଦୀପ୍ତ କୁମାର ନାୟକ, ପଣ୍ଡିତ ତ୍ରିନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
